
ସଂଜୟ ଶତପଥୀ(କଟକ):କଟକ ସଦରର ବହୁ ଅଙ୍ଗନୱାଡ଼ି ମହିଳା କର୍ମୀ ମାନେ ଆଜି ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନରେ ଯୋଗ ଦେଇଛନ୍ତି । ଏଥି ପାଇଁ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଦର ଅଞ୍ଚଳର ବହୁ ମହିଳା କର୍ମୀ ମାନେ ଏହି ବୈଠକରେ ଯୋଗ ଦେଇ ସଂଘ ସହିତ ସାମିଲ ହୋଇଥିଲେ ।
ଏହାପରେ ଅଙ୍ଗନୱାଡ଼ି ମହିଳା କର୍ମୀଙ୍କର ବିଭିନ୍ନ ଦାବି ନେଇ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାରେ ନୂତନ ଭାବରେ ଯୋଗଦେଇ ଥିବା ମହିଳା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନେ ସାମିଲ ହୋଇଥିଲେ । ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ କଟକ ସଦର ସିଡିପିଓ ଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିଡିପିଓ ଏବଂ କଟକ ସଦର ବିଡିଓ ଙ୍କୁ କର୍ମୀ ମାନେ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।
ଦାବି ଗୁଡ଼ିକ ମଧ୍ୟରେ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ଛଅ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ଦେବା , ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ଯେଉଁ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ କରାଯାଇନାହିଁ, କର୍ମୀଙ୍କୁ ମାସିକ ୧୮୦୦୦ ଓ ସହାୟିକାଙ୍କୁ ୯୦୦୦ ଟଙ୍କା ବେତନ ଦେବା, ଇପିଏଫ,ଇଏସ ଆଇ ସି , ଗ୍ରାଚ୍ୟୁଇଟି , ମୃତ୍ୟୁ କାଳୀନ ସହାୟତା ୫ ଲକ୍ଷ ଟଙ୍କା ସହିତ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଦିଆଯିବା, ଅବସର ପରେ ମାସିକ ୫ ହଜାର ଟଙ୍କା ପେନସନ ଦେବା, ସୁପରଭାଇଜର ପଦବୀରେ ଶତପ୍ରତିଶତ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ପଦୋନ୍ନତି ଦିଆଯିବା, ମିନି ଅଙ୍ଗନୱାଡ଼ି କର୍ମୀ ପଦବୀ ଉଚ୍ଛେଦ କରାଯାଇ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ଦେବା , ନୂତନ ଶିକ୍ଷା ନୀତିରେ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ର ମାନ୍ୟତା ଦେବା ଅନ୍ତର୍ଭୁକ୍ତ ।
ଏହି କାର୍ଯ୍ୟକ୍ରମରେ କଟକ ସଦର ଶାଖାର ସଭାନେତ୍ରୀ ପ୍ରମିଳା ପଟ୍ଟନାୟକ, ସମ୍ପାଦିକା ଉର୍ମିଳା ସେଠୀ , କଟକ ଅର୍ବାନ ଶାଖାର ସଭାନେତ୍ରୀ ଜ୍ୟୋତ୍ସ୍ନା ରାଣୀ ସିଂ, ଭାରତୀୟ ମଜଦୁର ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ବସନ୍ତ କୁମାର ସାହୁ, ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା, ମଧୁସ୍ମିତା ବିଷୋୟୀ, ବିନୋଦିନୀ ପଟ୍ଟନାୟକ, ଚାରୁଲତା ପାଣି, କୁନ୍ତଳା ସ୍ୱାଇଁ,ସରୋଜିନୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।