
ସଂଜୟ ଶତପଥୀ(କଟକ)୧୩।୧୨: ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ କଟକ ମହାନଗର ନିଗମ(ସିଏମସି)
ପକ୍ଷରୁ ସିଏମସି ଅଧିନରେ କାର୍ଯ୍ୟକରୁଥିବା ଠିକା ଛଟେଇ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ଓ ଅନ୍ୟାନ୍ୟ ଦାବୀରେ ସଂଘର
ସଭାପତି ବସନ୍ତ କୁମାର ସାହୁଙ୍କ ନେତୃତ୍ଵରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ସିଏମସି କମିସନରଙ୍କୁ ୫ ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।
ଏହି ଦାବୀ ଗୁଡିକ ମଧ୍ୟରେ ଠିକା କର୍ମଚାରୀମାନେ ଦୀର୍ଘ
୧୪ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରିଆସୁଥିବା ବେଳେ ସେମାନଙ୍କୁ ସରକାରୀ ସୁବିଧା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରୀ କରିଛନ୍ତି ଯେ, କୌଣସି ଅନୁଷ୍ଠାନରେ ଠିକା ସଂସ୍ଥା ବଦଳାଗଲେ ମଧ୍ୟ ଠିକାକର୍ମଚାରୀଙ୍କୁ ବହିଷ୍କାର କରାଯାଇପାରିବ ନାହିଁ । ଏହାର ଖିଲାପ କରି, ସିଏମସିରେ ସହର ମଧ୍ୟରେ ବିଦ୍ୟୁତ ଯୋଗାଣପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ଵ ହସ୍ତାନ୍ତର କରିଥିବା ବେଳେ ଉକ୍ତ କମ୍ପାନୀ ବେଆଇନଭାବେ ନିର୍ଦ୍ଦିଷ୍ଟ କିଛି କର୍ମଚାରୀଙ୍କୁ ବହିଷ୍କାର କରି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛି ।
ଉକ୍ତ ଛଟେଇ ହୋଇଥିବା କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ସହିତ ସେମାନଙ୍କର କଟାଯାଇଥିବା ଇପିଏଫ ଓ ଇଏସଆଇ ଟଙ୍କାର ହିସାବ ସହିତ ରସିଦ ପ୍ରଦାନ କରାଯାଉ, କାର୍ଯ୍ୟରତ କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉ, ସୁରକ୍ଷା ସମ୍ବନ୍ଧୀୟ ଉପକରଣ ଯୋଗାଇବା ସହ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା
ପାଇଁ ସିଏମସି ଠିକା ମଜଦୁର ସଂଘ ପକ୍ଷରୁ ଦାବୀ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି
ଗୌରାଙ୍ଗ ଚରଣ ରଥ, ସମ୍ପାଦକ ଭାଗୀରଥୀ ବେହେରା, ଉପସଭାପତି ଅଶୋକ ସ୍ୱାଇଁ, କୋଷାଧକ୍ଷ ସନ୍ତୋଷ କୁମାର ଭୂୟାଁ, ସିଏମସି ଠିକା ମଜଦୁର ସଂଘର ଉପସଭାପତି ସଂଜୟ କୁମାର ଚୌଧୁରୀ, ସାଧାରଣ ସମ୍ପାଦକ ଦୋଳଗୋବିନ୍ଦ ବେହେରା, ସହସମ୍ପାଦକ ରାମଚନ୍ଦ୍ର ପାତ୍ର, କୋଷାଧକ୍ଷ ରାଜେନ୍ଦ୍ର ବେହେରା, ଆକୁଳି ବିଶ୍ବାଳଙ୍କ ସମେତ ବହୁ
କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।