ସାବଧାନ! ‘କୋଭିଡ୍-୧୯’ ନାଁରେ ୫୦% ଜାଲ୍ ୱେବ୍‌ସାଇଟ୍‌

ବାସ୍ତବ ବ୍ୟୁରୋ-ସାବଧାନ! ଏବେ ଅନ୍ତର୍ଜାତୀୟ ସାଇବର ଅପରାଧୀ ଗ୍ୟାଙ୍ଗ୍ କୋଭିଡ୍-୧୯ ମହାମାରୀ ନାଁରେ ସାଧାରଣଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାକୁ ଏଭଳି ଫେକ୍ ଇ-ମେଲ ପଠାଉଥିବା ଓଡ଼ିଶା କ୍ରାଇମବ୍ରାଞ୍ଚର ନଜରକୁ ଆସିଛି। ଇ-ମେଲ୍‌ର ଲିଙ୍କ୍ ଖୋଲିବା ମାତ୍ରକେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ସାଇବର ଅପରାଧୀ ଅନଲାଇନରେ ଚୋରି କରିନେଉଛନ୍ତି।

ସବୁଠାରୁ ଚକିତ କଲା ଭଳି ଘଟଣା ହେଉଛି, ଗଲା ଜାନୁଆରିରୁ ଆଜି ସୁଦ୍ଧା ଦେଶରେ କୋଭିଡ୍-୧୯ ନାଁରେ ୧୬ ହଜାର ପାଖାପାଖି ଓ୍ବେବସାଇଟ ଖୋଲାଯାଇଛି। ଗଲା ସପ୍ତାହରେ ପାଖାପାଖି ୬ ହଜାର ଓ୍ବେବସାଇଟ୍ ଖୋଲାଯାଇଛି। ଏଥିରୁ ପାଖାପାଖି ୫୦ ପ୍ରତିଶତ ଫେକ୍ ବା ଜାଲି ଓ୍ବେବସାଇଟ ସାଇବର ଅପରାଧୀ ଖୋଲି ସାଧାରଣ ଲୋକଙ୍କୁ ଏଭଳି ଠକିବାକୁ ସାଂଘାତିକ ଷଡ଼ଯନ୍ତ୍ର କରିଥିବା କୁହାଯାଉଛି। ଏହି ଓ୍ବେବସାଇଟଗୁଡ଼ିକ ଅବିକଳ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ସଂଗଠନର ଓ୍ବେବସାଇଟ ପରି ଦେଖାଯାଉଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଟିଏ ପଟେ ଲକଡାଉନ ଅବଧି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟରେ ଏବେ ଥାନାଗୁଡ଼ିକରେ ଦୈନନ୍ଦିନ ଘଟୁଥିବା ଚୋରି, ଡକାୟତି, ଗଣ୍ଡଗୋଳ, ଦୁଷ୍କର୍ମ ଭଳି ମାମଲାର ହାର ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଛି। କିନ୍ତୁ ଅନଲାଇନ ଠକେଇ ମାମଲାର ହାର ଜିଲ୍ଲା ଓ୍ବାରି ବୃଦ୍ଧି ପାଇଥିବା କ୍ରାଇମବ୍ରାଞ୍ଚ ନଜରକୁ ଆସିଛି। ଲକଡାଉନ ଜାରି ହୋଇଥିବାରୁ ମାଗଣାରେ ନେଟଫ୍ଲିକ୍ସି ସବସ୍କ୍ରାଇବ କରି ଘରେ ବସି ବିଭିନ୍ନ ସିନେମା ଦେଖିବାକୁ ଲୋକଙ୍କୁ ଇ-ମେଲରେ ଅଫର ଆସୁଛି। ଇ-ମେଲର ଉକ୍ତ ଲିଙ୍କ୍ ଖୋଲିବା ମାତ୍ରକେ ସାଇବର ଅପରାଧୀ ସାଧାରଣଲୋକଙ୍କ ବ୍ୟାଙ୍କ ୟୁଜର ନେମ, ପାସଓ୍ବାର୍ଡ, କ୍ରେଡିଟ କାର୍ଡ ସମ୍ପର୍କିତ ତଥ୍ୟ ସମେତ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଉଛନ୍ତି। କରୋନା ପାଇଁ ରାଜ୍ୟବାସୀ ଭୟରେ ଥିବା ବେଳେ ଅନଲାଇନରେ ସାଇବର ଅପରାଧୀଙ୍କ ଏଭଳି ଆତଙ୍କରାଜ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟବାସୀ କିଭଳି ସାଇବର ଅପରାଧୀଙ୍କ କବଳରୁ ରକ୍ଷା ପାଇବେ ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ସତର୍କ କରାଇଛି।

କେମିତି କରୁଛନ୍ତି ‘କୋଭିଡି-୧୯’କୁ ଅସ୍ତ୍ର?
୧. ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ସ୍ବାସ୍ଥ୍ୟ ବିଭାଗ ନାଁରେ ମିଥ୍ୟା ସ୍ବାସ୍ଥ୍ୟ ପରାମର୍ଶବଳୀ ଜାରି କରୁଛନ୍ତି ସାଇବର ଅପରାଧୀ। ଏଗୁଡ଼ିକ ପଢ଼ିବା ପାଇଁ ଇ-ମେଲରେ ପଠାଯାଉଛି। ଉକ୍ତ ଇ-ମେଲ ଖୋଲିବା ମାତ୍ରକେ ସମ୍ପୃକ୍ତ ବ୍ୟକ୍ତିର ସମସ୍ତ ତଥ୍ୟ ସାଇବର ଅପରାଧୀ ଚୋରି କରି ନେଉଛନ୍ତି।

୨. କରୋନା ଭାଇରସ ସମ୍ପର୍କିତ ଆପ୍ଲିକେସନ ପ୍ରସ୍ତୁତ କରାଯାଇଛି। ଯେମିତିକି କରୋନା ଭାଇରସ ମ୍ୟାପ୍, ରିଅଲ-ଟାଇମ୍ କରୋନାଭାଇରସ ଟ୍ରାକିଂ ଆପ୍, କରୋନା ଆଣ୍ଟିଭାଇରସ୍ ଇତ୍ୟାଦି ପ୍ରସ୍ତୁତ ହୋଇଛି। ଏଗୁଡ଼ିକ ମୋବାଇଲରେ ଡାଉନଲୋଡ କରିବାକୁ କୁହାଯାଉଛି। ମୋବାଇଲ ବ୍ୟବହାରକାରୀ ଏଗୁଡ଼ିକ ଡାଉନଲୋଡ କରିବା ମାତ୍ରକେ ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରି କରିନେଉଛନ୍ତି।

୩. ବିଭିନ୍ନ ଅନଲାଇନ ସପିଂ ଓ୍ବେବସାଇଟ ମାଧ୍ୟମରେ ମାସ୍କ, ସାନିଟାଇଜର, କରୋନା ଭାଇରସର ଭ୍ୟାକ୍ସିନ୍ ଇତ୍ୟାଦି ବିକ୍ରି ଆଳରେ ଠକେଇ ହେଉଛି। କରୋନା ସ୍ପେସାଲ ଅଫର ନାଁରେ ବିଭିନ୍ନ ଓ୍ବେସାଇଟରରେ ଉକ୍ତ ସାମଗ୍ରୀ ଗ୍ରାହକଙ୍କୁ ଅତି କମ ଦାମରେ ଯୋଗାଇ ଦେବାକୁ କୁହାଯାଉଛି। ତେବେ ଗ୍ରାହକ ସେଗୁଡ଼ିକ କିଣିବା ପାଇଁ ଟଙ୍କା ଜମା କରିବା ମାତ୍ରକେ ଠକେଇର ଶିକାର ହେଉଛି।

୪. କରୋନା ଭାଇରସରେ ଆକ୍ରାନ୍ତ ପରିବାର ଲୋକଙ୍କୁ ଦାଦାବାଟି ମାଗୁଛନ୍ତି ସାଇବର ଅପରାଧୀ। ସେମାନଙ୍କୁ ଇ-ମେଲ ଏବଂ ମୋବାଇଲ ମ୍ୟାସେଜରେ ଧମକ ପଠାଉଛନ୍ତି।
୫. ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରି ଲୋକଙ୍କ ମଧ୍ୟରେ ଆତଙ୍କ ବି ସୃଷ୍ଟି କରାଯାଉଛି। ଏଗୁଡ଼ିକ ହ୍ବାଟସଆପ ଏବଂ ଟେଲିଗ୍ରାମ ଭଳି ସୋସିଆଲ ନେଟଓ୍ବାର୍କିଂ ସାଇଟରେ ଭାଇରାଲ କରାଯାଉଛି।

କେମିତି କରୁଛନ୍ତି ‘କୋଭିଡି-୧୯’କୁ ଅସ୍ତ୍ର?

୧. କରୋନା ଭାଇରସ ସମ୍ପର୍କିତ ଠିକ ତଥ୍ୟ ପାଇଁ କେବଳ ସରକାରୀ ଓ୍ବେବସାଇଟର ସାହାଯ୍ୟ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

୨. କୌଣସି ବ୍ୟକ୍ତି ଫୋନ୍ ମାଧ୍ୟମରେ ବ୍ୟକ୍ତିଗତ କିମ୍ବା ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ମାଗିଲେ, ଏଗୁଡ଼ିକ ସେୟାର ନକରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। କେବଳ ବିଶ୍ବସନୀୟ ଆପ୍ଲିକେସନଗୁଡ଼ିକ ମୋବାଇଲରେ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ସନ୍ଦେହଜନକ କାରବାର ଓ୍ବେବସାଇଟ୍ କିମ୍ବା ଆପ୍ଲିକେସନରେ ନଜରକୁ ଆସିଲେ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ।

୩. କୋଭିଡ୍-୧୯ ପାଇଁ କୌଣସି ଆର୍ଥିକ ସାହାଯ୍ୟ କରୁଥିଲେ, ସମ୍ପୃକ୍ତ ଅନୁଷ୍ଠାନ ସମ୍ପର୍କରେ ଭଲ ଭାବେ ଅନୁଧ୍ୟାନ କରିବାକୁ କୁହାଯାଇଛି। ସାଇବର ଅପରାଧୀ କରୋନା ରୋଗୀଙ୍କ ସାହାଯ୍ୟ ନାଁରେ ଲୁଟ୍ ଆରମ୍ଭ କରିଦେଇଛନ୍ତି।

୪. କରୋନା ଭାଇରସ ସମ୍ପର୍କିତ କୌଣସି ସ୍ବାସ୍ଥ୍ୟଗତ ପରାମର୍ଶବଳୀ ମେଲ୍ କିମ୍ବା ଲିଙ୍କ୍ ମାଧ୍ୟମରେ ଆସିଥିଲେ ଏଗୁଡ଼ିକ ଖୋଲିବା ପର୍ବରୁ ସତର୍କ ରୁହନ୍ତୁ। ସାଇବର ଅପରାଧୀମାନେ ଲିଙ୍କ୍ ମାଧ୍ୟମରେ କମ୍ପ୍ୟୁଟର ବ୍ୟବହାରକାରୀଙ୍କ ସମସ୍ତ ତଥ୍ୟ ଚୋରାଇ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଗୁଡ଼ିକୁ ଫିସିଂ ଆଟାକ୍ କୁହାଯାଏ।

୫. ଏବେ ବିଭିନ୍ନ ଅଫିସ କର୍ମଚାରୀ ଘର କମ୍ପ୍ୟୁଟର ମାଧ୍ୟମରେ ଅଫିସ କମ୍ପ୍ୟୁଟରକୁ ଆକ୍ସେସ କରି  କାମ କରୁଛନ୍ତି। ନିଜ ବ୍ୟକ୍ତିଗତ କମ୍ପ୍ୟୁଟର ମାଧ୍ୟମରେ ଅଫିସ କମ୍ପ୍ୟୁଟରରୁ କାମ କରୁଥିବାରୁ ଥାର୍ଡ ପାର୍ଟି ଯେଭଳି ବ୍ୟକ୍ତିଗତ ତଥ୍ୟ ଚୋରି ନକରନ୍ତି ସେଥିପ୍ରତି ମଧ୍ୟ ନଜର ରଖିବାକୁ କୁହାଯାଇଛି। ଏଥିପାଇଁ କମ୍ପ୍ୟୁଟରରେ ଅପଡେ଼ଟେଡ୍ ଆଣ୍ଟି ଭାଇରସ ଅପଲୋଡ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

୬. କରୋନ ଭାଇରସ ନାଁରେ ଯଦି କୌଣସି ପ୍ରକାର ଅଫର ଅନଲାଇନରେ ଦିଆଯାଉଛି, ଏଥିରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଅଫର୍ ସମ୍ପର୍କିତ ମେଲ ଓ ମ୍ୟାସେଜ ଏବେ ମୋବାଇଲରେ ଘୁରି ବୁଲୁଥିବା କ୍ରାଇମବ୍ରାଞ୍ଚର ନଜରକୁ ଆସିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Apr 11 , 2020
୧-ଓଡିଶା ସରକାରଙ୍କ ରାସ୍ତାରେ ପଞ୍ଜାବ । ମେ’ ୧ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିବାକୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ନିଷ୍ପତି, ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ତାଲାବନ୍ଦ ଅବଧି ବଢ଼ାଇଲା ପଞ୍ଜାବ । ୨-ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଛଡା ଅନ୍ୟ କୌଣସି ଲୋକ ଗାଡି ନେଇ ବାହରେ ବୁଲି ପାରିବେନି। ୩-ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଆଜି। ତାଲାବନ୍ଦ ଅବଧି […]

You May Like

Pin It on Pinterest