ବାସ୍ତବ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା, ଆଉ ଦୁଇଦିନ ଥଣ୍ଡାରେ ଥରିବ ଓଡିଶା । ୨/୩ ଦିନ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି କମିବ।
ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ, ଆସନ୍ତାକାଲି(ରବିବାର) ସକାଳ ସାଢ଼େ ୮ଟା ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ତାରିଖ ସକାଳ ସାଢ଼େ ୮ଟାରୁ ୮ ତାରିଖ ସକାଳ ସାଢ଼େ ୮ଟା ଯାଏ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଥିବାବେଳେ ୮ ତାରିଖ ସକାଳୁ ୯ ତାରିଖ ସକାଳ ଯାଏ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ,ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଛି ।
କିନ୍ତୁ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ ଅନୁଯାୟୀ, ଆସନ୍ତା ୮ତାରିଖରୁ ରାଜ୍ୟରେ ଶୀତ କମିବ। ଏହାପରେ ସପ୍ତାହେ ପର୍ଯ୍ୟନ୍ତ ଶୀତ ବଢ଼ିବାର ସମ୍ଭାବନା ନାହିଁ। ଦିନର ତାପମାତ୍ରା ମଧ୍ୟ ବଢ଼ିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବାୟୁର ଆର୍ଦ୍ରତା ବଢ଼ିବା ସହିତ କୁହୁଡ଼ି ହେବ। ଭୁବନେଶ୍ବର ସମେତ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ୧ରୁ ୧୦ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ଡିଗ୍ରି ବଢ଼ିବ।



