ବାସ୍ତବ ବ୍ୟୁରୋ: ଜାଡରେ ଥରୁଛି ଓଡ଼ିଶା । ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଆଜି ୧୦ ଡିଗ୍ରି ତଳେ ଓଡ଼ିଶାର ୨୧ ସହର ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସେମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ବୋଲି ଜଣାଯାଇଛି। ସେମିଳିଗୁଡ଼ାରେ ୨ ଡିଗ୍ରି ତାପମାନ ରେକର୍ଡ ହୋଇଛି। ଝାରସୁଗୁଡ଼ାଠାରେ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ରାଉରକେଲାଠାରେ ୬.୪ ଡିଗ୍ରି, ସୁନ୍ଦରଗଡ଼ରେ ୬.୫, ଜି. ଉଦୟଗିରିରେ ୪.୬ ଡିଗ୍ରି, ଦାରିଙ୍ଗବାଡ଼ିରେ ୮ ଡିଗ୍ରି, ଫୁଲବାଣୀରେ ୫, ସୋନପୁରରେ ୮.୫, ହୀରାକୁଦରେ ୯.୬, ଭବାନୀପାଟଣାରେ ୭.୨, ଦାରିଙ୍ଗିବାଡ଼ିରେ ୬.୭, ଅନୁଗୁଳରେ ୮.୬, ସମ୍ବଲପୁରରେ ୯.୩, ନବରଙ୍ଗପୁରରେ ୯, ରାଣିତାଲରେ ୯.୪, ଭଦ୍ରକରେ ୯.୫ ଓ କୋରାପୁଟରେ ୬.୫ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।
ଆସନ୍ତାକାଲି ଯାଏ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରି ଜାରି ରହିବ। ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।



