
ମାଲକାନଗିରି(ଏନ୍ ରବି): କୁଡୁମୁଲଗୁମ୍ମା ସ୍ଥାନୀୟ ଡ଼ାରୱିନ ସ୍ମାରକୀ ମହାବିଦ୍ୟାଳୟ ଠାରେ ତିନିଦିନିଆ ଜିଲ୍ଲାସ୍ତରୀୟ ଯୁବ ରେଡ୍ କ୍ରସ୍ ଶିବିରର ଆୟୋଜନ କରାଯାଇଛି । ଶିବିରର ଉଦ୍ଘାଟନରେ ସୀମା ସୁରକ୍ଷା ବଳ, ୮୮ ବାଟାଲିୟନ, ବାଲିମେଳାର କମାଣ୍ଡାଣ୍ଟ ଅମିତ୍ କୁମାର୍ ଶର୍ମା ରେଡ କ୍ରସ୍ ପତାକା ଉତ୍ତୋଳନ କରି କରିଥିଲେ। ତତ୍ପରେ ଏକ ସଭାର ଆୟୋଜନ କରା ଯାଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର୍ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ଯୁବ ରେଡ୍ କ୍ରସ୍ ର ଆବାହକ ସମ୍ପାଦକ ଡ.ରଞ୍ଜନ କୁମାର୍ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଖଇରିପୁଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଘ୍ନ କିରିସାନି, ଗୋଷ୍ଠି ଉନ୍ନୟନ ଅଧିକାରୀ ହୃଦାନନ୍ଦ ସାହୁ, ଡ.ଥିଙ୍ଗମ୍ ଦେବକିଶ୍ୱର୍ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ତିନିଦିନିଆ ଶିବିରର ପରିଚାଳନା ମହାବିଦ୍ୟାଳୟର ଯୁବ ରେଡ କ୍ରସ୍ ପରାମର୍ଶଦାତା ଜନ କୋରା କରୁଛନ୍ତି।
ଉକ୍ତ ଶିବିରରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୨୦ରୁ ଊର୍ଦ୍ଧ୍ବ ଯୁବ ରେଡ୍ କ୍ରସ୍ ସ୍ବେଚ୍ଛାସେବୀ ଯୋଗଦାନ କରିଛନ୍ତି। ପ୍ରଥମ ଦିନରେ ଡ.ରଞ୍ଜନ କୁମାର ସ୍ବାଇଁଙ୍କ ଦ୍ଵାରା ରେଡ୍ କ୍ରସ୍ ର ଇତିହାସ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରା ଯାଇଥିବା ବେଳେ ଅଗ୍ନି ନିରାପତ୍ତା ସମ୍ପର୍କରେ କୁଡୁମୁଲଗୁମ୍ମା ଅଗ୍ନି ନିରାପତ୍ତା ବିଭାଗର ଅବିନାଶ ଦାଶଙ୍କ ଦ୍ବାରା ପ୍ରଶିକ୍ଷଣ ପ୍ରଦାନ କରା ଯାଇଥିଲା। ଏହି ତିନିଦିନିଆ ଶିବିରରେ ପ୍ରାଥମିକ ଚିକିତ୍ସା, ରକ୍ତଦାନ, ବିପର୍ଯ୍ୟୟ ପରିଚାଳନା, ଏଡ୍ସ ସଚେତନତା ଇତ୍ୟାଦି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବ।
ଶିବିରର ଆୟୋଜନ ରେ ଜିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ଡି ଆଶିଷ ରାଠୋରଙ୍କ ସମେତ ୧୫ରୁ ଉର୍ଦ୍ଧ୍ବ ପରାମର୍ଶଦାତା, ସ୍ଥାନୀୟ ଅଂଚଳର ଶିକ୍ଷାବିତ୍ ଭଗବାନ ସାହୁ, ସାମ୍ବାଦିକ ଜ୍ୟୋତି ରଞ୍ଜନ ବେହେରା ଓ ବିଦ୍ୟାଧର ସାହାଣୀଙ୍କ ସହ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ମାନେ ଯୋଗଦାନ କରିଛନ୍ତି ।



