
ସଂଜୟଶତପଥୀ(କଟକ): କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ର ପ୍ରସିଦ୍ଧ ସିଂହନାଥ ପୀଠରେ ଅଘଟଣ । ମହାନଦୀ ଉପରେ ନିର୍ମିତ ଟି-ବ୍ରିଜରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେତୁ ଦଳାଚକଟା ହୋଇ ୨୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁରୁତର ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଥିବା ଜଣାପଡ଼ିଛି ।
ସୂଚନାନୁଯାୟୀ, ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଆଜି(ଶୁକ୍ରବାର) ଅପରାହ୍ନରେ ଦଳାଚକଟା ଯୋଗୁଁ ବହୁ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି । ଗୁରୁତରମାନଙ୍କୁ ଡାକ୍ତରଖାନା ନିଆଯାଇଛି । ଶୋଚନୀୟ ଅବସ୍ଥା ଥିବା ଲୋକଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଏହି ମେଳାରେ କଟକ, ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିବା କୁହାଯାଉଛି । କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ବ୍ରିଜ୍ ଉପରୁ ତଳକୁ ଡେଇଁପଡ଼ିଥିଲେ । ତେବେ ଏଠାରେ ହୋଇଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଦଳଚକଟା ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୨୦ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ଭିତରେ ୪ ମହିଳା ଓ ୩ ଶିଶୁ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଦଳାଚକଟା ବେଳେ ବ୍ରିଜ୍ ଉପରେ ୫୦ ହଜାରରୁ ଅଧିକ ଲୋକ ଥିଲେ । ତେବେ ବ୍ରିଜ୍ ତଳେ ପୀଠକୁ ପହଞ୍ଚିବା ନିମନ୍ତେ ଏକ ମାଟି ଚଲା ରାସ୍ତା ଥିଲେ ମଧ୍ୟ ଏକାକୁ ବନ୍ଦ କରି ଦିଆଯାଇଥିଲା । ତେବେ ଏଭଳି ଅଘଟଣ ଘଟିବା ପରେ ମନ୍ଦିରକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି ।