ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ୯.୫୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ : ବିଜେପି
* ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ ।

ପ୍ରମୋଦ ନାୟକ(ଭୁବନେଶ୍ୱର)୧୭/୦୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମଙ୍ଗଳବାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକ ଏବଂ ଦଳୀୟ ନେତା ରାଜ୍ୟପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି ।
ସେହିପରି ଆବାସ ଯୋଜନାର ବଂଟନ କାର୍ଯ୍ୟକ୍ରମ ଆରମ୍ଭ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହାର ଶୁଭାରମ୍ଭ କରିବା ପାଇଁ ଓଡ଼ିଶା ସରକାର ନିମନ୍ତ୍ରଣ କରନ୍ତୁ ବୋଲି ଶ୍ରୀ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ଓଡ଼ିଶାର ଆଶା ଆକାଂକ୍ଷାକୁ ପ୍ରାଥମିକତା ଦେବା ଭିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ମୋଟ ୨୮ ଲକ୍ଷ ଘର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ପୂର୍ବରୁ ୨୦୧୮ରେ ଆବାସ ପ୍ଲସ ୱେବସାଇଟରେ ୪ ଥର ସମୟ ସୀମା ବୃଦ୍ଧି ପରେ ବି ହିତାଧିକାରୀଙ୍କ ତାଲିକା ଦେବାରେ ରାଜ୍ୟ ସରକକାର ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ବାତ୍ୟା ଫନୀ କାରଣରୁ ଆବାସ ପ୍ଲାସ ପ୍ଲାଟଫର୍ମରେ ଓଡ଼ିଶାକୁ ଦୁଇଟି ସ୍ପେଶାଲ ୱିଣ୍ଡୋରେ ଅଧିକ ଯୋଗ୍ୟ ପରିବାର ବର୍ଗଙ୍କୁ ସାମିଲ କରିବା ପାଇଁ ଅନୁମତି ଦିଆଯିବା ପରେ ମଧ୍ୟ ରାଜ୍ୟ ସରକାର ହିତାଧିକାରୀଙ୍କୁ ସାମିଲ କରିପାରି ନଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ହସ୍ତକ୍ଷେପ ଓ କେନ୍ଦ୍ର ଗ୍ରାମୀଣ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କ କାରଣରୁ ପୁଣି ଥରେ ଆବାସ ପ୍ଲସ ପୋର୍ଟାଲ ଖୋଲିଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ତମାନ ଥିବା ୧୮ ଲକ୍ଷ ହିତାଧିକାରୀରୁ ୧୨ ଲକ୍ଷ ହିତାଧିକାରୀଙ୍କ ଘର ଆବଂଟନ, କାର୍ଯ୍ୟାଦେଶ ଓ ବ୍ୟାଙ୍କ ପେମେଂଟ ଆଦିରେ ଅନିୟମିତତା ପରିଲକ୍ଷିତ ହୋଇଛି । ରାଜ୍ୟରେ ଏହି ଅନିୟମିତତା ଯୋଗୁ ପାଖାପାଖି ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା କେନ୍ଦ୍ରୀୟ ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିଲା ବୋଲି ଶ୍ରୀ ମାଝୀ କହିଛନ୍ତି ।
ବର୍ତମାନ ଆବାସ ପ୍ଲସ ପୋର୍ଟାଲରେ ଓଡ଼ିଶାକୁ ୯.୫୯ ଲକ୍ଷ ଅର୍ଥାତ୍ ପ୍ରାୟ ୧୦ ଲକ୍ଷ ଘର ଆବଂଟନ ପାଇଁ ଲକ୍ଷ୍ୟ ଦିଆଯାଇଛି । ଏହି ୧୦ ଲକ୍ଷ ଘର ସଠିକ୍ ଯୋଗ୍ୟ ହିତାଧିକାରୀଙ୍କୁ ବଂଟନ କରାଯାଉ । ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନିଅନ୍ତୁ । ଜିଲ୍ଲା ଓ ବ୍ଲକ ସ୍ତରରେ ଘର ଦେଇ ଗରିବ ତଥା ସାଧାରଣ ଜନତାଙ୍କ ଦାୟିତ୍ୱ ନିଅନ୍ତୁ । ଯୋଗ୍ୟ ହିତାଧିକାରୀଙ୍କୁ ଅଗ୍ରାଧିକାର ଦେବା ଭିତିରେ ଘର ବଂଟନ କରାଯାଉ । ଯଦି ଯୋଗ୍ୟ ଲୋକଙ୍କୁ ଘର ନ ମିଳିବ, ଓଡ଼ିଶାର ଗରୀବ ଜନସାଧାରଣଙ୍କ ବହୁ ଦିନର ପକ୍କା ଘରର ସ୍ୱପ୍ନ ଧୂଳିସାତ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି ।
୨୦୧୯ରେ ଆବାସର ପରମାନେଟ୍ ୱେଟିଂ ଲିଷ୍ଟରେ ଥିବା ବହୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସଦ୍ୟ ପ୍ରକାଶିତ ସମ୍ଭାବ୍ୟ ତାଲିକାରେ ସ୍ଥାନ ମିଳିନାହିଁ । ବିଭିନ୍ନ ଜିଲ୍ଲାରୁ ମିଳୁଥିବା ଖବର ଅନୁସାରେ ଦଳୀୟ ଆଧାରରେ ବହୁ ଯୋଗ୍ୟ ହିତାଧିକାରୀ, ଯେଉଁମାନେ ଦୀର୍ଘ ୨ ବର୍ଷ ହେବ ନିଜ ହକର ଘର ପାଇବା ପାଇଁ ଅପେକ୍ଷା କରିଥିଲେ, ଓଡ଼ିଶା ସରକାର ଚଂଚକତାର ସହିତ ସେମାନଙ୍କୁ ବାଦ୍ ଦେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।
ରାଜ୍ୟପାଳଙ୍କୁ ବିଜେପି ପ୍ରତିନିଧି ମଣ୍ଡଳୀ ଦେଇଥିବା ଦାବି ପତ୍ରରେ ଉଲ୍ଲେଖ ରହିଛି ଯେ, ଗରିବଙ୍କୁ ସମ୍ମାନର ସହ ଘର ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅନ୍ତର୍ଗତ ଫନୀ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ୧ ଲକ୍ଷ ୪୨ ହଜାର ଘର ସହ ଅତିରିକ୍ତ ୯.୫୯ ଲକ୍ଷ ଘର ଆବଂଟନ ହୋଇଛି । ଆବାସ ଯୋଜନା ସମ୍ପ୍ରସାରଣ ଫଳରେ ଓଡ଼ିଶାକୁ ଘର ପ୍ରଦାନର ସଂଖ୍ୟା ସର୍ବମୋଟ ୨୮ ଲକ୍ଷରେ ପହଁଚିଛି । ଭାରତ ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ସ୍ୱଚ୍ଛତା ଓ ପାରଦର୍ଶିତାରେ ହିତାଧିକାରୀଙ୍କୁ ଚିହ୍ନଟ କରିବା, ପ୍ରକାଶିତ ସମ୍ଭାବ୍ୟ ତାଲିକା ଜନସାଧାରଣଙ୍କ ସର୍ବସମ୍ମୁଖରେ ତଦାରଖ କରିବା ନେଇ ଏକ ଏକ ବିସ୍ତୁତ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି ।
ଚୟନ ହୋଇଥିବା ହିତାଧିକାରୀଙ୍କୁ ଗ୍ରାମସଭାରେ ସଠିକ୍ ବୋଲି ବିବେଚିତ କରିବା, ଜିଓ ଟ୍ୟାଙ୍ଗିଂ, ହିତାଧିକାରୀଙ୍କୁ ଆଧାର ଏବଂ ବ୍ୟାଙ୍କ୍ ଆକାଉଂଟ ସହ ଯୋଡିବା ଭଳି ପଦକ୍ଷେପ ନିଆଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ବଂଟନରେ ବ୍ୟାପକ ଅନିୟମିତତା ଓ ପ୍ରିୟାପ୍ରୀତିତୋଷଣ ଯୋଗୁଁ ଏହି ଯୋଜନା ବାଟମାରଣା ହେଉଛି । ଏହି କାରଣରୁ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ସେ ଦିଗରେ ହିତାଧିକାରୀ ଚୟନରେ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ଆବଶ୍ୟକୀୟ ତଦାରଖ କରିବେ ଏବଂ ନିରପେକ୍ଷତା ଏବଂ ସ୍ୱଚ୍ଛତା ବଜାୟ ରଖିବେ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ଡ.ମୁକେଶ ମହାଲିଙ୍ଗ, ଆଦିତ୍ୟ ମାଢୀ, ଭବାନୀ ଭୋଇ, ଡା.ବୁଦ୍ଧାନ ମୁର୍ମୁ, ସନାତନ ବିଜୁଳି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଅମର ନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜେନ୍ଦ୍ର ପଣ୍ଡା, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।