ସୁଲାବତୀଙ୍କ ମୃତ୍ୟୁ ନୁହେଁ, ହତ୍ୟା କରାଯାଇଛି: ବିଧାୟକ ଡ.ମୁକେଶ ମହାଲିଙ୍ଗ….

ପ୍ରମୋଦନାୟକ(ଭୁବନେଶ୍ୱର): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଗମ୍ଭୀର ହୋଇପଡିଛି । ବିଶେଷ ଭାବେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଦଳିତ, ଆଦିବାସୀ ମହିଳାମାନଙ୍କ ଉପରେ ଅତ୍ୟାଚର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି ଏବଂ ଏହାକୁ ରୋକିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇପଡିଛନ୍ତି । ଗତ ୧୧ ତାରିଖ ଦିନ ରାୟଗଡା ଡାକ୍ତରଖାନାରେ ଗର୍ଭବତୀ ଥିବା ସୁଲାବତୀ ନାଏକଙ୍କ ମୃତ୍ୟୁ ଅତ୍ୟନ୍ତ ବିଦାରକ । ସୁଲାବତୀଙ୍କ ମୃତ୍ୟୁ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ବିଧାୟକ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ.ମହାଲିଙ୍ଗ କହିଛନ୍ତି ଯେ, ରାୟଗଡା ଜିଲ୍ଲା କାଶୀପୁର ଅଣ୍ଡରାକାଂଚ ଗ୍ରାମର ସୁଲାବତୀ ନାଏକଙ୍କ ଦୁଃଖଦାୟକ ମୃତ୍ୟୁ ଏବଂ ଏହାର ବାସ୍ତବତା ଜାଣିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏକ ପ୍ରତିନିଧି ଦଳ ଗତ କାଲି କାଶୀପୁର ଗସ୍ତ କରିଥିଲେ । ଏହି ଅବସରରେ ପ୍ରତିନିଧି ଦଳ ମୃତ ସୁଲାବତୀଙ୍କ ସ୍ୱାମୀ, ପରିବାର, ବନ୍ଧୁଜନ, ସ୍ଥାନୀୟ ପୋଲିସ, ମେଡିକାଲ୍ ଏବଂ ରାୟଗଡା ଜେଲକୁ ଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ଉତ୍କଳ ଆଲୁମିନା କଂପାନୀ ପ୍ରତିଷ୍ଠା କାରଣରୁ ବିସ୍ଥାପିତ ସ୍ଥାନୀୟ ବାସିନ୍ଦାଙ୍କ ସହ ୯ ମାସର ଗର୍ଭବତୀ ଥିବା ସ୍ୱର୍ଗତଃ ସୁଲାବତୀ ମଧ୍ୟ ନିଜ ଭିଟାମାଟିକୁ ବଂଚାଇବା ଏବଂ ନ୍ୟାର୍ଯ୍ୟ ହକ୍ ପାଇଁ ଆନ୍ଦୋଳନ କରୁଥିଲେ । ଆନ୍ଦୋଳନକାରୀଙ୍କୁ ପୋଲିସ ପ୍ରଶାସନ ବଳପ୍ରୟୋଗ କରିବା ସହ ମାଡ ମାରି ଜୋରଜବରଦସ୍ତ ଥାନାକୁ ନେଇ ଯାଇଥିଲେ । ପୋଲିସ କର୍ତୃପକ୍ଷ ନିଜ ଆଡୁ ମାମଲା ରୁଜୁ କରି ଆନ୍ଦୋଳନରତ ସ୍ୱର୍ଗତଃ ସୁଲାବତୀଙ୍କ ସମେତ ୧୪ ଜଣ ମହିଳାଙ୍କୁ ପୁରୁଷ ପୋଲିସ ଦ୍ୱାରା ଜୋରଜବରଦସ୍ତ ଉଠାଇ ନିଆଯାଇଥିଲା ବୋଲି ଥାନାର ମହିଳା ଆଇଆଇସିଙ୍କ ଆଲୋଚନାବେଳେ ପ୍ରତିନିଧି ଦଳ ଜାଣିବାକୁ ପାଇଥିଲ ।

ଗର୍ଭବତୀ ସୁଲାବତୀଙ୍କ ଉପରେ ଧାରା ୩୦୭ ଦଫା ଲଗାଇ ଗିରଫ କରାଯିବା ପରେ ରାତି ୧.୩୦ ସମୟରେ ରାୟଗଡା ଉପ କାରାଗାରକୁ ପଠାଇ ଦିଆଯାଇଥିଲା । ଗର୍ଭବତୀ ଥିବା ସମୟରେ ସୁଲାବତିଙ୍କୁ ସ୍ୱତନ୍ତ୍ର କୋଠରୀରେ ନରଖି ୧୪-୧୫ ଜଣ ଥିବା କୋଠରୀରେ ରଖାଗଲା । ଏପରିକି ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇନଥିଲା । ପୋଲିସର ମାଡ ଖାଇଥିବା ଗର୍ଭବତୀ ସୁଲାବତୀର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଥିଲା । ମାତ୍ର ଜେଲ୍ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିଲେ । ଗତ ଜାନୁଆରୀ ୧୦ ତାରିଖ ଦିନ ଜାମିନରେ ଆସିବା ପରେ ସୁଲାବତୀ ସେହି ଦିନ ରାତି ୧୦.୩୦ରେ ଡାକ୍ତରଖାନାରେ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି ବୋଲି କହି ୧୧ତାରିଖ ଦିନ ସୁଲାବତୀଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଗଲା ଏବଂ ସେଠାରେ ଡାକ୍ତର ସୁଲାବତୀଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ସୁଲାବତୀ ଗର୍ଭବତୀ ଥିବା ସଂପର୍କରେ ଗିରଫ କରିଥିବା ପୋଲିସ, ଡାକ୍ତରୀ ମାଇନା କରିଥିବା ଡାକ୍ତର ଏବଂ ମାଜିଷ୍ଟ୍ରେଟ ଜାଣିନଥିବା ଅନୁସନ୍ଧାନ ସମୟରେ ପ୍ରକାଶ କରିଛନ୍ତି, ଯାହାକି ସବୁଠୁ ଆଶ୍ଚର୍ଯ୍ୟର ବିଷୟ ବୋଲି ଡ.ମହାଲିଙ୍ଗ କହିଛନ୍ତି ।
ରାଜ୍ୟ ସରକାରଙ୍କ ‘ମାଁ କୁ ସମ୍ମାନ’ର ମିଛ ସ୍ଲୋଗାନ ପୁଣି ଥରେ ସାମ୍ନାକୁ ଆସିଛି । କଂପାନୀର ହାତବାରିସୀ ସାଜି ସ୍ଥାନୀୟ ପୋଲିସ ଓ ପ୍ରଶାସନ ସୁଲାବତୀଙ୍କ ମୃତ୍ୟୁକୁ ଚାପି ଦେବା ପାଇଁ ମିଳିତ ଭାବେ ଉଦ୍ୟମ କରିଛନ୍ତି । ଥାନା, ଡାକ୍ତରଖାନାରୁ ସମସ୍ତ କାଗଜପତ୍ର ଗାୟବ କରିଦିଆଯାଇଛି ।

ଜେଲ୍ ଭିତରେ ଥିବାବେଳେ ସ୍ୱର୍ଗତାଃ ସୁଲାବତୀ ଅନେକ ମାନସିକ ଚାପଗସ୍ତ ଥିବା କଥା ତାଙ୍କ ସହ ଥିବା ଅନ୍ୟ ମହିଳାମାନେ ପ୍ରତିନିଧର ଦଳକୁ କହିଥିଲେ । ଜଣେ ଅନୁସୂଚିତ ଜାତିର ଗର୍ଭବତୀ ମହିଳାଙ୍କୁ ମାଡମାରି ଏବଂ ଜେଲରେ ଅମାନବୀୟ ବ୍ୟବହାର କରି ଯେଉଁ ଭଳି ଭାବେ ସୁଲାବତୀଙ୍କୁ ଅତ୍ୟାଚାର କରାଗଲା, ତାହା ମୃତ୍ୟୁ ନୁହେଁ ବରଂ ହତ୍ୟା ଅଟେ । ଏଭଳି ଅମାନବୀୟ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଧିକାରିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ନ୍ୟାୟିକ ତଦନ୍ତ ପାଇଁ ଡ.ମହାଲିଙ୍ଗ ଦାବୀ କରିଛନ୍ତି ।

ସ୍ୱର୍ଗତଃ ସୁଲାବତୀଙ୍କ ନବଜାତ ଶିଶୁପୁତ୍ର ବର୍ତମାନ ବ୍ରହ୍ମପୁର ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବାବେଳେ ଘରେ ୪ ବର୍ଷର ଝିଅଟିଏ ଅଛି । ଦୁନିଆଁ ଦେଖିନଥିବା ଶିଶୁର ମା’କୁ ହତ୍ୟା କରି ଅନାଥ କରିଦେବାର ଅଧିକାର କିଏ ଦେଲା ? ତେଣୁ ମୃତ ସୁଲାବତୀଙ୍କ ପରିବାରକୁ ରାଜ୍ୟ ସରକାର ୩୦ ଲକ୍ଷ ଟଙ୍କାର କ୍ଷତିପୁରଣ ରାଶି ପ୍ରଦାନ କରିବାକୁ ଡ.ମହାଲିଙ୍ଗ ଦାବୀ କରିଛନ୍ତି ।
ଏହି ଘଟଣାରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ ନକଲେ, ଆଗାମୀ ଦିନରେ ବିଜେପି ତରଫରୁ ଜୋରଦାର ଆନ୍ଦୋଳନ କରାଯିବ । ଏଥି ସହ ବିଧାନସଭା, ରାଷ୍ଟ୍ରୀୟ ମାନବାଧିକାର କମିଶନ, ରାଷ୍ଟ୍ରୀୟ ମହିଳା କମିଶନ, ରାଷ୍ଟ୍ରୀୟ ଅନୁସୁଚିତ ଜାତି କମିଶନଙ୍କୁ ଅବଗତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯିବ ବୋଲି ଡ.ମହାଲିଙ୍ଗ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜକିଶୋର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ....

Wed Jan 18 , 2023
ରାକେଶ ମହାନ୍ତି(ପାଟକୁରା): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଧନିଆପଡ୍ଡା ମାଆ ବଜ୍ର ମହାକାଳୀ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ରାଜକିଶୋର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମଙ୍ଗଳବାର ଆୟୋଜିତ ଫାଇନାଲ ମ୍ୟାଚରେ ମୁନ୍ ଇଲେଭେନ୍ ଜଗତସିଂହପୁର , ସ୍ମାଇଲ ଇଲେଭେନ ରାହାମାକୁ ହରାଇ ଚମ୍ପିୟାନ ହୋଇଛି । ପ୍ରଥମେ ମୂନ୍ ଇଲିଭେନ୍ ବ୍ୟାଟିଂ କରି କୋଡ଼ିଏ ଓଭର୍ ରେ ନଅ ଉଇକେଟ୍ ବିନିମୟରେ ୧୬୩ ରନ୍ କରିଥିଲା […]

You May Like

Pin It on Pinterest