
ସଜୟ ଶତପଥୀ(କଟକ): ଆଜି କଟକର ଦେଉଳସାହିସ୍ଥିତ ମୋନାଲିସା ପ୍ଯାଲେସ୍ ସଭାଗୃହରେ ନେତାଜୀ ସେବା ସଂଘ, କଟକ ପକ୍ଷରୁ ଆଗାମୀ ଜାନୁଆରୀ ୨୩ ତାରିଖରେ କଟକରେ ପାଳିତ ହେବାକୁ ଥିବା ୧୨୬ ତମ ନେତାଜୀ ଜୟନ୍ତୀ ଉପଲକ୍ଷେ ଏକ ସାମ୍ୱାଦିକ ସମ୍ମିଳନୀ ସଂଘର ସଭାପତି ଶ୍ରୀ ବିରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର କୁମାର ସାହୁ, ଉପ-ସଭାପତି ଶ୍ରୀ ଏ.କେ.ସିଂ ଓ ସାଧାରଣ ସମ୍ପାଦକ ଶ୍ରୀ ବିଶ୍ଵନାଥ ଦାସଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ। ଉପସ୍ଥିତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ ଆଗାମୀ ଦିନରେ ହେବାକୁ ଥିବା ୧୨୬ତମ ନେତାଜୀ ଜୟନ୍ତୀ ମହାସମାରୋହରେ ନେତାଜୀଙ୍କ ଜନ୍ମସ୍ଥାନ କଟକରେ ମହାସମାରୋହରେ ପାଳିତ କରାଯିବା ସହ ନେତାଜୀଙ୍କର ଏକ ସୁ-ଉଚ୍ଚ ଓ ସୁଦୃଶ୍ୟ ପ୍ରତିମା ସ୍ଥାପନ, ନେତାଜୀଙ୍କର ବୀରତ୍ୱର କଥା ତଥା ଜୀବନୀ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବା, ନେତାଜୀଙ୍କର ପ୍ରିୟ ବ୍ୟବହୃତ ଜିନିଷ ସଂଗ୍ରହ କରାଯାଇ କଟକରେ ରଖାଯିବା, କଟକରେ ନେତାଜୀ ରିସର୍ଚ୍ଚ ସେଣ୍ଟର ଖୋଲାଯିବା, କଟକ ରେଲୱେ ଷ୍ଟେସନକୁ ନେତାଜୀଙ୍କ ନାମରେ ନାମିତ କରିବା ତଥା ସର୍ବୋପରି ନେତାଜୀଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାଣ କରାଯିବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ।

ସାଧାରଣ ସମ୍ପାଦକ ଶ୍ରୀ ଦାସ ଏହି କାର୍ଯ୍ୟକ୍ରମ ଲାଗି ସଂଘ ପକ୍ଷରୁ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହ ସଂଗୃହୀତ ନେତାଜୀପ୍ରେମୀମାନଙ୍କର ଦସ୍ତଖତ ସହ ଏକ ଅନୁରୋଧପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ନେତାଜୀଙ୍କ ସମ୍ମାନାର୍ଥେ ତଥା କଟକକୁ ବିଶ୍ଵଦରବାରରେ ପ୍ରତିଷ୍ଠିତ କରାଇବାରେ ସଂଘର ଚେଷ୍ଟା ଜାରି ରହିବ ବୋଲି ଉପ-ସଭାପତି ଶ୍ରୀ ଏ.କେ.ସିଂ ଓ ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ସାହୁ ମତପ୍ରକାଶ କରିଥିଲେ। ଆସନ୍ତା କାର୍ଯ୍ୟକ୍ରମର ସଫଳତା ଲାଗି ସଂଘ ପକ୍ଷରୁ ଶ୍ରୀ ଦାସ ସହରବାସୀଙ୍କ ସାହାଯ୍ୟ ଓ ଆଶ୍ରିବାଦ କାମନା କରିଥିଲେ।



