ବାସ୍ତବ ବ୍ୟୁରୋ: ଫେବୃଆରୀ ୬ ରେ ତୁର୍କୀ ଓ ସିରିୟା ରେ ହୋଇଥିବା ଭୂକମ୍ପକୁ ସପ୍ତାହେ ବିତି ଯାଇଥିଲେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଦୁଇ ଦେଶରେ ଏପର୍ଯ୍ୟନ୍ତ ୩୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨ ଗୁଣା ହେବ ବୋଲି ଜାତିସଂଘ ଆକଳନ କରିଛନ୍ତି।

ଅନେକ ଲୋକ ଘର ହରାଇ ଏବେ ରାସ୍ତା କଡ଼କୁ ଚାଲି ଆସିଛନ୍ତି। ବଞ୍ଚିଯାଇଥିବା କିଛି ଲୋକ ଏବେ ବି ଭଗ୍ନ କୋଠା ଆଗରେ ମୃତ୍ୟୁବରଣ କରିଥିବା ଆପଣାର ଲୋକମାନଙ୍କୁ ଝୁରି ହେଉଛନ୍ତି। ଇତି ମଧ୍ୟରେ ଗାଜିଆନଟେପ, ହତାଇ, ନୁରଦାଗି ଏବଂ ମାରସର ହଜାର ହଜାର ଲୋକ ପ୍ରଭାବିତ ଅଞ୍ଚଳ ଛାଡ଼ି ଦେଇ ଗାଜିଆନଟେପ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେମାନେ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି।
ଜାତିସଂଘ ସହାୟତା ମୁଖ୍ୟ କହିଛନ୍ତି, ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇ ଆସୁଛି। ଜାତିସଂଘ ଅନୁଯାୟୀ, ସିରିଆରେ ୫୩ ନିୟୁତ ଲୋକ ଭୂମିହୀନ ହୋଇପାରନ୍ତି। ଏବେ ବାସସ୍ଥାନ, ଖାଦ୍ୟ, ଶିକ୍ଷା ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ଜରୁରୀ । ଉଭୟ ଦେଶର ୯ ଲକ୍ଷ ଲୋକ ତୁରନ୍ତ ଗରମ ଖାଦ୍ୟ ଆବଶ୍ୟକତା ରହିଛି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ପାଇଁ ଆବଶ୍ୟକ ସାମଗ୍ରୀର ଯୋଗାଣ ଶେଷ ହୋଇଯାଉଥିବା ଜଣାପଡ଼ିଛି। ଅସ୍ଥାୟୀ ଟେଣ୍ଟ୍ର ଅଭାବ ଦେଖାଦେଇଛି।
ଇତି ମଧ୍ୟରେ ରବିବାର ଦିନ ତୁର୍କୀର ଦକ୍ଷିଣ ସହର କହରାମନମରାସରେ ୪.୭ ତୀବ୍ରତାର ଭୂକମ୍ପ ହୋଇଛି। ରବିବାର ସୁଦ୍ଧା ତୁର୍କୀର ମାରସ ସହରରେ ପ୍ରାୟ ୫ ହଜାର ଶବ ପୋତାଯାଇଛି। କବର ସ୍ଥଳରେ ଆଉ ଜାଗା ନେହେବାରୁ ମେସିନ ଦ୍ବାରା ଅଧିକରୁ ଅଧିକ କବରସ୍ଥଳ ଖୋଳାଯାଉଛି। ସୂଚନାନୁଯାୟୀ, କେବଳ ମାରସ ସହରରେ ୧୦ ହଜାର ଭୂକମ୍ପ ପୀଡ଼ିତଙ୍କୁ ପୋତିବା ଆବଶ୍ୟକ ପଡ଼ିପାରେ। ସ୍ଥାନୀୟ ପ୍ରଶାସନ ଅନୁଯାୟୀ ପ୍ରତି କିଛି ମିନିଟ୍ରେ ଥରକେ ୧୨ରୁ ଅଧିକ ଶବ କବରସ୍ଥଳରେ ପହଞ୍ଚୁଛି। ତେଣୁ ଗଣ କବରସ୍ଥଳ ଖୋଳିବାପାଇଁ ତୁର୍କୀର ମାରସରେ ପାଇନ ଜଙ୍ଗଲର ଏକ ବିଶାଳ ଅଂଶ କଟାଯାଇଛି।
ଏହି ସମୟରେ ସିରିଆ ରାଷ୍ଟ୍ରପତି ବଶର-ଅଲ-ଅସଦ ତୁର୍କୀ ସହିତ ଜଡିତ ଆଉ ଦୁଇଟି ସୀମା କ୍ରସିଂ ଖୋଲିବାକୁ ଘୋଷଣା କରିଛନ୍ତି। ଏହା ମାଧ୍ୟମରେ ଜାତିସଂଘ ସିରିଆକୁ ଭୂକମ୍ପ ସହ ଜଡିତ ରିଲିଫ ସାମଗ୍ରୀ ପଠାଇବାରେ ସକ୍ଷମ ହେବ। ଦେଶବାସୀଙ୍କୁ ସାହାଯ୍ୟ କରିବା ପାଇଁ ଏହି ସୀମା ଆସନ୍ତା ୩ ମାସ ପାଇଁ ଖୋଲା ରହିବ । ୨୦୧୧ ରେ ସିରିଆରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏହି ସୀମା ଖୋଲାଯାଇଛି ।

ସିରିଆରେ ଉଦ୍ଧାର କାର୍ଯ୍ୟ ଅଧାରେ ଛାଡି ଫେରିଯାଉଛନ୍ତି ଅନେକ ଦେଶ
ସିରିଆ ସୀମାରେ ଉଦ୍ଧାର କାର୍ଯ୍ୟ ଅଧାରେ ଛାଡି ଫେରିଯାଉଛନ୍ତି ଅନେକ ଦେଶ। ରବିବାର ଦିନ, ଇସ୍ରାଏଲ ସୁରକ୍ଷା କାରଣ ଦର୍ଶାଇ ଜରୁରୀକାଳୀନ ବିମାନରେ ନିଜ ଦଳ ହଟଜାଲ ଗ୍ରୁପକୁ ଫେରେଇ ନେଇଥିଲେ। ଏହାପୂର୍ବରୁ ଜର୍ମାନୀ ଏବଂ ଅଷ୍ଟ୍ରିଆ ମଧ୍ୟ ଉଦ୍ଧାରକାରୀଙ୍କୁ ତୁର୍କୀରୁ ପ୍ରତ୍ୟାହାର କରି ନେଇଥିଲେ।
ବାସ୍ତବରେ, ଇସ୍ରାଏଲ ସମେତ ଅନେକ ଦେଶର ଗୁପ୍ତଚର ସଂସ୍ଥାଗୁଡ଼ିକ ଇନପୁଟ ଗ୍ରହଣ କରିଛନ୍ତି ଯେ ତୁର୍କୀ ସୀମାରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିବ। ଯେଉଁ କାରଣରୁ ସେଠାରେ ପହଞ୍ଚିଥିବା ଉଦ୍ଧାର କର୍ମଚାରୀଙ୍କ ଜୀବନ ବିପଦରେ ରହିଛି। ସେଠାରେ ଗୁଳି ବିନିମୟ ଚାଲିଥିବା ଜର୍ମାନ ଉଦ୍ଧାରକାରୀ ଦଳ ମଧ୍ୟ ସୂଚନା ଦେଇଛନ୍ତି।



