
ଦୀପକ ସାହୁ(କଳାହାଣ୍ଡି): ସରକାର ଶିକ୍ଷା ଏକ ମୌଳିକ ଅଧିକାର ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହି ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ଦୁର୍ଗମ ଅଞ୍ଚଳ ର ଛାତ୍ରଛାତ୍ରୀ । ଶିକ୍ଷାର ବିକାଶ କୁ ନେଇ ଅନେକ ଗୁଡିଏ ଯୋଜନା ହୋଇଥିବା ବେଳେ ଏଥିରେ କୋଟି କୋଟି ଟଙ୍କା ବ୍ୟୟବରାଦ ମଧ୍ଯ କରାଯାଉଛି କିନ୍ତୁ ସରକାରଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଏହି ସବୁ ଯୋଜନା ବାଟବଣା ହେବାରେ ଲାଗିଛି ।
ଏଭଳି ସମସ୍ୟା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଦୁର୍ଗମ , ମାଓପ୍ରବଣ ତଥା ଆଦିବାସୀ ଅଧ୍ୟୁଷିତ ଅଂଚଳ ଥୁଆମୂଳ ରାମପୁର ବ୍ଲକରେ । ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳରେ ଆବାସିକ ବିଦ୍ୟାଳୟ ମାନ କରାଯାଇଛି ହେଲେ ଉଚ୍ଚ ଶିକ୍ଷା ପାଇଁ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ସ୍ବାଧୀନତାର ୫୦ ବର୍ଷ ଯାଏଁ ଭବାନିପାଟଣା ଏବଂ ରାୟଗଡା ଜିଲ୍ଲା ଉପରେ ନିର୍ଭର କରୁଥିଲେ । ତେବେ ପରବର୍ତ୍ତି ସମୟରେ ନବେ ଦଶକରେ ଅଞ୍ଚଳର ଶିକ୍ଷିତ ଯୁବକ ମାନଙ୍କ ଉଦ୍ୟମ ରେ ଥୁଆମୂଳ ରାମପୁର ରେ ଏକ ଯୁକ୍ତ ଦୁଇ ବେସରକାରୀ ମହାବିଦ୍ୟାଳୟ ଖୋଲା ଯାଇଥିଲା । ଏହା ପରବର୍ତ୍ତି ସମୟରେ ସରକାରଙ୍କ ପକ୍ଷରୁ ଚାରୋଟି ଅପଗ୍ରେଡ ସ୍କୁଲରେ ଛାତ୍ରଛାତ୍ରୀ ମାନେ ଯୁକ୍ତ ଦୁଇ ଯାଏଁ ପଢି ଗରିବ ଛାତ୍ରଛାତ୍ରୀ ମାନେ ଅଧାରୁ ପାଠ ପଢା ଛାଡି ଦାଦନ ଖଟିବାକୁ ବାଧ୍ଯ ହେଉଛନ୍ତି ।

କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ଦୀର୍ଘ ଦିନରୁ ବଞ୍ଚିତ ହୋଇ ଆସୁଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମ ରେ ଶିକ୍ଷା କୁ ଗୁରୁତ୍ବ ଦେଉଥିବା ବେଳେ ଏଠି ଛାତ୍ରଛାତ୍ରୀ ମାନେ ସ୍ନାତକ ପଢିବାର ସ୍ବପ୍ନ ହୋଇ ରହିଛି । ନାଁ ସରକାରୀ ସ୍ତରରେ ନାଁ ବେସରକାରୀ ସ୍ତରରେ ଏହାର ଉଦ୍ୟମ କରାଯାଇନାହଁ । ସ୍ବାଧୀନତାର ୭୫ ବର୍ଷ ପରେ ବି ଏହି ବ୍ଲକରେ ଡିଗ୍ରୀ କଲେଜ ଗୋଟିଏ ମଧ୍ଯ ହୋଇପାରିନାହଁ ।
ଥୁଆମୂଳ ରାମପୁର ରେ ଏକ ବେସରକାରୀ ମହାବିଦ୍ୟାଳୟ ଏବଂ କିଆପଦର, ଗୋପାଳପୁର ଓ ଗୁଣୁପୁର ଏଭଳି ତିନୋଟି ସରକାରୀ ଅପଗ୍ରେଡ ସ୍କୁଲ ମାଧ୍ୟମ ରେ ଯୁକ୍ତ ଦୁଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ଦିର୍ଘ ୫୦ କିଲୋମିଟର ର ଦୁରତା ରୁ ଏହି ବ୍ଲକର ଦୁର୍ଗମ ଅଞ୍ଚଳ ର ଛାତ୍ରଛାତ୍ରୀ ମାନେ ଏଠି ପଢିବାର ସୁଯୋଗ ପାଇଥିଲେ ଏବଂ ଏହାପରେ ଉଚ୍ଚ ଶିକ୍ଷା ପାଇଁ ଡିଗ୍ରୀ କଲେଜ ନଥିବାରୁ ଆର୍ଥିକ ଅନଗ୍ରସର ପରିବାର ର ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଏନେଇ ବାରମ୍ବାର ସରକାର ଏବଂ ରାଜନେତା ମାନଙ୍କୁ କହିବା ପରେ ମଧ୍ଯ ଆଜି ପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳିପାରିନାହି।
ଶିକ୍ଷା ଓ ଆର୍ଥିକ ଅନଗ୍ରସର ବ୍ଲକ ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଲକର ଛାତ୍ରଛାତ୍ରୀ ମାନେ ସରକାରୀ ହାଇସ୍କୁଲ ରେ ପାଠ ପଢିବା ପରେ ଉଚ୍ଚ ଶିକ୍ଷାର ସ୍ବପ୍ନ ଦେଖିନଥାନ୍ତି । କାଁ ଭାଁ ହାତ ଗଣତି କିଛି ପରିବାର ର ଛାତ୍ରଛାତ୍ରୀ ମାନେ ଅନ୍ଯତ୍ର ପାଠ ପଢି ବେକାର ହୋଇ ରହିଆସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଶିକ୍ଷିତ ଯୁବକ ମାନଙ୍କ ଉଦ୍ୟମ ରେ ୧୯୯୮ ମସିହରେ ଥୁଆମୂଳ ରାମପୁର ଠାରେ ଏକ ବେସରକାରୀ ମହାବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ସେହି ଦିନଠାରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଉକ୍ତ କଲେଜ ରେ ଯୁକ୍ତ ଦୁଇ ପାଠ ପଢିବାର ସୁଯୋଗ ପାଇଥିଲେ ।
ବର୍ତ୍ତମାନ ଉକ୍ତ ବେସରକାରୀ କଲେଜ ରେ ୪୮୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଅନ୍ଯ ତିନୋଟି ଅପଗ୍ରେଡ ସ୍କୁଲ ସମେତ ଏହି ବ୍ଲକରେ ହଜାରେ ରୁ ଉର୍ଦ୍ଧ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ରହିଛନ୍ତି । ସେହି ଦୃଷ୍ଟିରୁ ଏହି ବ୍ଲକରେ ଡିଗ୍ରୀ କଲେଜ ର ଆବଶ୍ୟକତା ରହିଛି । ଏହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗ କୁ ମଧ୍ଯ ସ୍ଥାନୀୟ ବାସିନ୍ଦା ବାରମ୍ବାର ଜଣାଇ ଆସିଛନ୍ତି । ଏନେଇ କଳାହାଣ୍ଡି ଗସ୍ତ ରେ ଆସିଥିବା ଉନ୍ନୟନ କମିଶନର ପ୍ରଦିପ ଜେନା ପଚାରିବାରୁ ସେ ମଧ୍ଯ ଡିଗ୍ରୀ କଲେଜ ର ଆବଶ୍ୟକତା ରହିଥିବା ଅନୁଭବ କରିବା ସହ ଖୁବ ଶିଘ୍ର ଏହାର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ସରକାରଙ୍କ କର୍ତବ୍ଯ । ଥୁଆମୂଳ ରାମପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳ ରେ ଶିକ୍ଷା ର ଅଗ୍ରଗତି ଆଲୋକର ବର୍ତିକା ସଦୃଶ । ଏହି ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ବଳ ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ଭିତିଭୂମି ସଜାଡିବା ସହ ଏକ ଡିଗ୍ରୀ କଲେଜ ପ୍ରତିଷ୍ଠା କରି ଉକ୍ତ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ପଢିବାର ସୁଯୋଗ ଦେଲେ ନିଶ୍ଚିତ ଭାବରେ ଏହି ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିବ ଏହା ତିଳେ ବି ସନ୍ଦେହ ନାହିଁ ।



