
ବାସ୍ତବ ବ୍ୟୁରୋ:ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଦିନ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଆସନ୍ତୁ ଜାଣିବା କେଉଁ ବିଭାଗକୁ କେତେ ଟଙ୍କାର ବ୍ୟୟବରାଦ କରାଯାଇଛି ।
ସଡ଼କ, ପୋଲ, ରେଳପଥ ଆଦି ଭିତ୍ତିଭୂମି ପାଇଁ ୧୯୪୫୨ କୋଟି ଟଙ୍କା, ସହରାଞ୍ଚଳ ବିକାଶ ପାଇଁ ୭୯୧୪ କୋଟି ଟଙ୍କା ଓ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ପାଇଁ ୬୨୨୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପାଇପ ପାନୀୟ ଜଳ ଯୋଗାଣ ପାଇଁ ବ୍ୟୟବରାଦ ୫୮ ପ୍ରତିଶତ ବୃଦ୍ଧି ପାଇ ୧୩,୨୧୫ କୋଟି ଟଙ୍କାରେ ପହଞ୍ଚିଛି ।
କୃଷି କ୍ଷେତ୍ର ପାଇଁ ଏବର୍ଷ ମୋଟ ୨୪,୮୨୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
- କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
- ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
- ଧାନ ସଂଗ୍ରହ ପାଇଁ ୨ ହଜାର କୋଟିର ଆବର୍ତ୍ତି ପାଣ୍ଠି (ରିଭଲଭିଂ ଫଣ୍ଡ) ବ୍ୟବସ୍ଥା କରାଯାଇଛି ।
- ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
- କୃଷି କ୍ଷେତ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରେତ୍ସାହନ ପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରାଯାଇଛି ।
- ଛତୁ ମିସନ ଓ ଫୁଲ ଚାଷ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ସ୍ବାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଗତ ଆର୍ଥିକ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ବଜେଟ୍ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି ।
- ଅର୍ମଥନ୍ତ୍ରୀ କହିଛନ୍ତି ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟବରାଦ ହୋଇଥିବା ଟଙ୍କାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ବ୍ୟୟବରାଦ ବାବଦରେ ୩ ହଜାର ୭୨୫ କୋଟି ଟଙ୍କା ଓ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧୨ ହଜାର ୩୧ କୋଟି ଟଙ୍କା ଖର୍ଚ୍ଚ ହେବ।
- ‘ଆମ ହସ୍ପିଟାଲ’ ନୂଆ ଯୋଜନା ମଧ୍ୟ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ବଜେଟରେ ୭୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
- ଆଗାମୀ ୧ ବର୍ଷ ଭିତରେ ୧୪୭ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରିତ କରାଯିବ। ରାଜ୍ୟ ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନରେ ଭିତିଭୂମିର ବିକାଶ ପାଇଁ ୩ ହଜାର ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରେ ଏସସିବିର ପୁନଃବିକାଶ ପାଇଁ ୧ ହଜାର ୪ ଶହ କୋଟି ଟଙ୍କା ରହିଛି ।
- ୧୦୮ ଆମ୍ବୁଲାନ୍ସ ସେବା ପାଇଁ ଚଳିତ ବଜେଟରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
- ଜନସାଧାରଣଙ୍କୁ କେମୋଥେରାପି, ଅଙ୍କୋ ସର୍ଜରୀ, ରେଡିଓଥେରାପି ଓ ପୀଡା ଉପଶମକାରୀ କର୍କଟରୋଗର ଚିକିତ୍ସା ପାଇଁ ୩ଟି ପର୍ଯ୍ୟାୟରେ ୧୧ଟି କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିପାଇଁ ବଜେଟରେ ୧ ହଜାର ୪୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
- କର୍କଟ ଚିକିତ୍ସା କେନ୍ଦ୍ର ପାଇଁ ୨୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
- ପିଏମ୍-ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ମିଶନ ପାଇଁ ୩ ଶହ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ।
- ହରିଶ୍ଚନ୍ଦ୍ର ସହାୟତା ଯୋଜନା ଅଧୀନରେ ସହାୟତା ରାଶିକୁ ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସହରାଞ୍ଚଳରେ ଏବେ ଏହି ରାଶିର ପରିମାଣ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ସେହିପରି ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୦୦ କୋଟି ଟଙ୍କା, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି ଟଙ୍କା, ଅନୁସୂଚୀତ ଜାତି ବିକାଶ ପାଇଂ ୩୮୪୩୭ କୋଟି ଟଙ୍କା ଓ ପର୍ଯ୍ୟଟନ ପାଇଁ ୬୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
- ଐତିହ୍ୟ ନଗରୀ ପୁରୀର ବିକାଶ ପାଇଁ ‘ଅବଢ଼ା’ ଯୋଜନାରେ ୨୨୪ କୋଟି ଟଙ୍କା ବଜେଟ୍ ପ୍ରସ୍ତାବ ରହିଛି।
- ଐତିହ୍ୟ ଓ ସ୍ମାରକୀ ଏବଂ ପର୍ଯ୍ୟଟନସ୍ଥଳୀର ସମନ୍ବିତ ବିକାଶ ଅଧିନରେ ୧୫୦ କୋଟି ଟଙ୍କା ପ୍ରସ୍ତାବ ରହିଛି ।
- ରାଜ୍ୟ ବଜେଟ୍ରେ ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ୬୬୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏଥିରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୪୦୦ କୋଟି ଟଙ୍କା, ପର୍ଯ୍ୟଟନ ପ୍ରୋତ୍ସାହନ ପାଇଁ ୧୫୭ କୋଟି ଟଙ୍କା ଏବଂ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ୩୦ କୋଟି ଟଙ୍କା ସାମିଲ ରହିଛି।
ମହିଳାମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ମିସନ୍ ଶକ୍ତି ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଲାଗି ସମୁଦାୟ ୬୨୨୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
- ମିସନ୍ ଶକ୍ତି ବିଭାଗ ପାଇଁ ୨୫୫୪ କୋଟି ଏବଂ ମହିଳା ଶିଶୁ କଲ୍ୟାଣ ବିଭାଗ ଲାଗି ୩୬୭୦ କୋଟିର ବ୍ୟୟ ବରାଦ କରାଯାଇଛି।
- ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧିନରେ ୯୯୬ କୋଟି ଟଙ୍କା, ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ତାଙ୍କର ମହାସଂଘଙ୍କ ପାଇଁ ଆର୍ଥିକ ସହାୟତା ବାବଦରେ ୯୮୯ କୋଟି ଟଙ୍କା, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୨୦ କୋଟି ଟଙ୍କା, ଜିଲ୍ଲାମାନଙ୍କରେ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ୧୫୦ କୋଟି ଟଙ୍କା ଏବଂ ଏସ୍ଏଚ୍ଜିଙ୍କୁ ସୁଧ ରିହାତି ବାବଦରେ ୨୨୦ କୋଟି ଟଙ୍କା ସାମିଲ ରହିଛି।