ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା ଦେବାର ଚକ୍ରାନ୍ତ…

ମନୋଜ ମହାନ୍ତି(ଭୁବନେଶ୍ୱର): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା। ବହୁତଳ କାର୍‌ ପାର୍କିଂରେ ବେପାର ହେଉନି। ଯେଉଁ ପରିମାଣରେ ପାର୍କିଂ ହେବା ଆଶା କରାଯାଉଥିଲା, ସେହି ପରିମାଣରେ ହେଉନାହିଁ। ଏଭଳି କାରଣ ଦେଖାଇ ଦୁଇ ଠିକାସଂସ୍ଥାକୁ ମାସକୁ ୮ଲକ୍ଷରୁ ଅଧିକ ହିସାବରେ ୫ ମାସର ୩୦ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଦେୟ ଛା‌ଡ଼ି ଦେବାକୁ ଚକ୍ରାନ୍ତ ଚାଲିଛି । ବେପାର ହେଉ ନଥିବାରୁ ଧାର୍ଯ୍ୟ ଦେୟ ଛାଡ଼ି ଦେବାକୁ ଉଭୟ ସଂସ୍ଥା ବିଏସ୍‌ସିଏଲ୍‌କୁ ଚିଠି ଲେଖିବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି।

ଦାଇତ୍ୱରେ ଥିବା ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ଏହି ମୋଟାଅଙ୍କର ଦେୟ ଛାଡ଼ କରିବା ପାଇଁ ଠିକା ସଂସ୍ଥା ଯୋଜନା କରିଥିବାରୁ ଅଧିକାରୀମାନେ ତତ୍ପର ହୋଇ ପଡ଼ିଛନ୍ତି। କେମିତି ଛାଡ଼ କରାଯିବ, ସେନେଇ ଟେଣ୍ଡର୍‌ ଚୁକ୍ତିନାମାକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ ଉପାୟ ଖୋଜିଛନ୍ତି।ବେପାର ହେଉ ନାହିଁ ବୋଲି କ୍ଷେତ୍ର ପରିଦର୍ଶନ କରି ଏକ ରିପୋର୍ଟ ପ୍ରସ୍ତୁତ କରାଯାଉଛି। ସେହି ରିପୋର୍ଟ ଆଧାରରେ ଏହି ମୋଟା ଅଙ୍କର ଅର୍ଥ ଛାଡ଼ି ଦେବାକୁ ଚକ୍ରାନ୍ତ ହୋଇଛି।

ଏ ଚକ୍ରାନ୍ତ ବାବଦରେ ବିଏସ୍‌ସିଏଲ୍‌ ଏମ୍‌ଡି ବଲୱନ୍ତ ସିଂହ କିମ୍ବା ସିଇଓ ବିଜୟ ଅମୃତା କୁଲାଙ୍ଗେ ଅବଗତ ନଥିବା ଜଣାପଡ଼ିଛି। ଉଭୟ ଅଧିକାରୀଙ୍କୁ ବୁଝାଇ ଠିକା ସଂସ୍ଥାଙ୍କୁ ଏହି ଅନୁକମ୍ପା ଦେଖାଇବାକୁ ଯୋଜନା ହୋଇଥିବା ଅଭିଯୋଗ ହୋଇଛି। ଧାର୍ଯ୍ୟ ଅବଧିଠାରୁ ଢେର୍‌ ବିଳମ୍ବରେ ଗତ ନଭେମ୍ବର ମାସରେ ସହିଦନଗର ଓ ରାଜମହଲ ବହୁତଳ କାର୍‌ ପାର୍କିଂ କାର୍ଯ୍ୟକ୍ଷମ ହୋଇଥିଲା। ରାଜମହଲ ପ୍ରକଳ୍ପରେ ୪ଶହ କାର୍‌ ଓ ୭ଶହ ବାଇକ୍‌ ଏକ ସମୟରେ ପାର୍କ ହୋଇପାରିବା ବ୍ୟବସ୍ଥା ରହିଛି। ମାସକୁ ୧କୋଟି ୭୪ ଲକ୍ଷ ହିସାବରେ ଏହାକୁ ଏସ୍‌ଏନ୍‌ ଏଣ୍ଟରପ୍ରାଇଜର୍ସ ସଂସ୍ଥାକୁ ୫ବର୍ଷ ପାଇଁ ଠିକା ଦିଆଯାଇଛି।

ସେହିଭଳି ସହିଦନଗର ପ୍ରକଳ୍ପରେ ଏକ ସମୟରେ ୧୯୬ କାର୍‌ ଓ ୩୯୮ ବାଇକ୍‌ ପାର୍କ ହୋଇପାରିବ। ମାସକୁ ୬୮ ଲକ୍ଷ ହିସାବରେ ୫ବର୍ଷ ପାଇଁ ମଲ୍ଟି‌ପ୍ଲେକ୍ସ ସଲ୍ୟୁସନକୁ ଏହି ପ୍ରକଳ୍ପ ଠିକା ଦିଆଯାଇଛି। ପ୍ରତି ମାସରେ ଧାର୍ଯ୍ୟ ଦେୟ ଜମା କରିବା ପାଇଁ ସର୍ତ୍ତ ରହିଛି। ଅର୍ଥ ପୈଠ କରି ନପାରିଲେ ଟେଣ୍ଡର ବାତିଲ ହେବା ପାଇଁ ହୋଇଥିବା ଚୁକ୍ତିରେ ଉଭୟ ସଂସ୍ଥା ରାଜି ହୋଇଛନ୍ତି। ନଭେମ୍ବରରୁ ଏମାନେ ଦାଇତ୍ୱ ନେବା ପରେ ଉଭୟ ଜାଗାରେ ବ୍ୟବସାୟ ହେଉନଥିବା ସଂସ୍ଥାମାନେ ଅଭିଯୋଗ କରିଛନ୍ତି। ମଲ୍ଟିପ୍ଲେକ୍ସର ଅଭିଯୋଗ ହେଉଛି, ଦିନକୁ ମାତ୍ର ୩୦ଟି ଗାଡ଼ି ଆସୁଛି। ଯେଉଁଠି ମାସରେ ଅଢ଼େଇ ଲକ୍ଷ ଫି’ ଆଦାୟ ହେବା ଟାର୍ଗେଟ୍‌ ରହିଛି। ସେଠାରୁ ମାତ୍ର ୧୫ରୁ ୨୦ ହଜାର ଟଙ୍କା ଆସୁଛି। ଏଣୁ ୫ ମାସର ବା ମାର୍ଚ୍ଚ ପର୍ଯ୍ୟନ୍ତ ଛାଡ଼ କରିବାକୁ ବିଏସ୍‌ସିଏଲ୍‌କୁ ଲିଖିତ ଭାବେ ଜଣାଯାଇଛି।

ରାଜମହଲ ପ୍ରକଳ୍ପ ପରିଚାଳନା କରୁଥିବା ଠିକା ସଂସ୍ଥା ଏସ୍‌ଏନ୍‌ ଏଣ୍ଟରପ୍ରାଇଜର୍ସର ଅଭିଯୋଗ ହେଉଛି ମାସକୁ ପାଖାପାଖି ୬ ଲକ୍ଷ ଦେୟ ଜମା କରିବାକୁ ରହିଛି। କିନ୍ତୁ ୪ ମାସରେ ୫ ଲକ୍ଷ ବେପାର ହୋଇଛି। ଏଣୁ ଏହା ଉପରେ ବିଚାର କରିବାକୁ ବିଏସ୍‌ସିଏଲ୍‌କୁ ଚିଠି ଲେଖାଯାଇଛି। ବିଏସ୍‌ସିଏଲ୍‌ର କହିବା କଥା ଉଭୟ ସଂସ୍ଥା ଛାଡ଼ କରିବାକୁ ଲେଖିଛନ୍ତି। କିନ୍ତୁ ଦେୟ ଦାଖଲ କରିବାକୁ ଚିଠିରେ ତାଗିଦ କରାଯାଇଛି। ହାତଗୁଞ୍ଜା ନେଇ ଠିକାସଂସ୍ଥାଙ୍କୁ ଅନୁକମ୍ପା ଦେଖାଇବା ଅଭିଯୋଗକୁ ଖଣ୍ଡନ କରିବା ସହ ମାର୍ଚ୍ଚ ପର୍ଯ୍ୟନ୍ତ ଦେୟ ଛାଡ଼ିବାର ନିଷ୍ପତ୍ତି ହୋଇ ନଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଟେଣ୍ଡର ଚୁକ୍ତିକୁ ଖିଲାପ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚଳିତ ବର୍ଷ ମାର୍ଚ୍ଚରୁ ଝାଂଜି ର ପ୍ରକୋପ ଆରମ୍ଭ ହେବ...

Wed Mar 1 , 2023
ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚରୁ ଝାଂଜି ର ପ୍ରକୋପ ଆରମ୍ଭ ହେବ । ଦେଶର ସମତଳ ଅଞ୍ଚଳରେ ଉତ୍ତାପ ଫେବୃଆରୀରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗ ଅନୁଯାୟୀ, ମାର୍ଚ୍ଚରୁ ଏଥର ଝାଂଜି ର ପ୍ରକୋପ ଆରମ୍ଭ ହେବ। ଉତ୍ତର ଏବଂ ମଧ୍ୟ ଭାରତରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୧.୭୩ ଡିଗ୍ରୀ ଥିଲା । ଏହାପୂର୍ବରୁ ଫେବୃଆରୀ ୧୯୦୧ ରେ ୦.୮୧ ଡିଗ୍ରୀ ରେକର୍ଡ କରାଯାଇଥିଲା । […]

You May Like

Pin It on Pinterest