ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବ ପାରିତ…

ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ପ୍ରସ୍ତାବ ପାରିତ ହୋଇଥିଲା।

  • ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଯାଇଛି ପ୍ରସ୍ତାବଗୁଡ଼ିକ ହେଲା :
  • ସରକାର ବାସଗୃହ ପ୍ରକଳ୍ପ ପାଇଁ ଲିଜ ସୂତ୍ରରେ ଆବଶ୍ଚିତ ଜମି ଏବଂ ପିପିପି ମୋଡରେ ବିକଶିତ ପ୍ରକଳ୍ପଗୁଡିକ ପାଇଁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଏବଂ ଉନ୍ନୟନ କର୍ତ୍ତୃପକ୍ଷ ସପକ୍ଷରେ ଲିଜ୍ ଦିଆଯାଇଥିବା ଜମିର ରୂପାନ୍ତରଣ ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ବାରା ଗ୍ରହଣ କରାଯାଇଥିବା ନୀତିଗୁଡ଼ିକୁ ଗ୍ରହଣ କରି ଫ୍ରିହୋଲ୍ଡ ସ୍ଥିତିକୁ ରୂପାନ୍ତର କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
  • ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ସୃଷ୍ଟି ହୋଇଥିବା ପ୍ରମୁଖ ଶାସନ ସଚିବ ପାହ୍ୟାରେ ଅନୁମୋଦିତ ପଦବୀର ଅବଧି ଉକ୍ତ ପଦବୀରେ ନିଯୁକ୍ତ ଅଧିକାରୀଙ୍କ ୬୦ ବର୍ଷ ବୟସରେ ପଦାର୍ପଣ କରିବା କିମ୍ବା ସେ ଉକ୍ତ ପଦବୀ ତ୍ୟାଗ କରିବା କିମ୍ବା ତାଙ୍କର ନିୟୋଜନ ବାତିଲ ହେବା ମଧ୍ୟରୁ ଯେଉଟି ସର୍ବପ୍ରଥମ ସେ ପର୍ଯ୍ୟନ୍ତ ସୀମିତ ରହିବ।
  • ପୂର୍ବରୁ ପ୍ରଣୟନ କରାଯାଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ , ୧୯୮୨ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ , ୧୯୯୨ ପରିବର୍ତ୍ତେ ଏକ ନୂତନ ନିୟମ ପ୍ରଣୟନ ପାଇଁ ଆଗତ କରାଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
  • କାର୍ଯ୍ୟ କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ନୀତି ଓ ଯୋଜନାଗୁଡ଼ିକର ବାସ୍ତବ କାର୍ଯ୍ୟକାରିତା ଓ ତତ୍ ସଂକ୍ରାନ୍ତୀୟ ତଦାରଖ ପାଇଁ ଉପଯୁକ୍ତ ଅଧିକାରୀ ନିୟୋଜିତ କରାଯିବା ଲକ୍ଷ୍ୟରେ ସ୍ଵଳ୍ପ ସଞ୍ଚୟ କ୍ୟାଡରର ସୀମିତ ପୁନର୍ଗଠନ କରାଯାଇଛି। ଏହି କ୍ୟାଡର୍ ପୁନର୍ଗଠନ ପକ୍ରିୟା ସମ୍ପାଦନରେ କ୍ୟାଡର୍‌ରେ ଥିବା ମୋଟ ମଞ୍ଜୁରିପ୍ରାପ୍ତ ପଦବୀ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଗତ ପ୍ରସ୍ତାବ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି।
  • ୧୩ , ୪୨୮ ସୁଲଭ ମୂଲ୍ୟ ଦୋକାନମାନଙ୍କର ଲାଇସେନ୍ସର ସମୟ ସୀମା ୩୧.୩.୨୦୨୩ ତାରିଖରେ ସମାପ୍ତ ହେଉଛି। ନିୟମାନୁଯାୟୀ ଯୋଗ୍ୟ ଡିଲରମାନଙ୍କର ଲାଇସେନ୍ସଗୁଡ଼ିକର ପୁନଃ ଏକ ବର୍ଷ ଅର୍ଥାତ ୧.୪.୨୦୨୩ ତାରିଖରୁ ୩୧.୩.୨୦୨୪ ତାରିଖ ପର୍ଯ୍ୟନ୍ତ ନବୀକରଣ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି ।
  • ସାଧାରଣ ଭବିଷ୍ୟନିଧି ପାଣ୍ଠି ( ଓଡ଼ିଶା ) ନିୟମାବଳୀ , ୧୯୩୮ର ନିୟମରେ ଥିବା ବିଧି ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇ ଜମାରାଶି ବେତନର ଛଅ ପ୍ରତିଶତରୁ କମ୍ ଏବଂ ପ୍ରାପ୍ୟ ପୂର୍ଣ୍ଣ ବେତନଠାରୁ ଅଧିକ ହୋଇପାରିବ ନାହିଁ ବୋଲି ନିର୍ଦ୍ଧାରିତ ହେବା ସହିତ ସାଧାରଣ ଭବିଷ୍ୟନିଧ ପାଣ୍ଠି ( ଓଡ଼ିଶା ) ନିୟମାବଳୀ , ୧୯୩୮ର ସମ୍ପୃକ୍ତ ବିଧି ବ୍ୟବସ୍ଥାରେ ଆବଶ୍ୟକୀୟ ସଂଯୋଜନ ଦ୍ବାରା ଏକ ଆର୍ଥିକ ବର୍ଷରେ ଜମାରାଶି ( ବକେୟା ଦେୟ ସହ ) ନିର୍ଦ୍ଧାରିତ ସୀମା ଅର୍ଥାତ୍ ପାଞ୍ଚଲକ୍ଷ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ଆଗତ କରାଯାଇଥିବା ସଂଶୋଧନ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି ।
  • ଶ୍ୟାମଭକ୍ତ ମିଶ୍ର , ପରିଚାଳନା ନିର୍ଦ୍ଦେଶକ , ବୟନିକା ଏବଂ ନିର୍ଦ୍ଦେଶକ , ହସ୍ତଶିଳ୍ପ ( ଅତିରିକ୍ତ ଦାୟିତ୍ୱ ) ଙ୍କୁ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ପଦବୀରେ ଦିଆଯାଇଥିବା ନିଯୁକ୍ତିକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
  • ଓଡିଶା ମୁଖ୍ୟ ବିଭାଗୀୟ ଦପ୍ତର ( ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟର କନିଷ୍ଠ ସହାୟକ , ସହକାରୀ ଉପବିଭାଗ ଅଧିକାରୀ ଏବଂ ଉପବିଭାଗଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ ) ନିୟମାବଳୀ , ୨୦୧୯ ରେ ପ୍ରସ୍ତାବିତ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
  • ପ୍ରଚଳିତ ଓଡ଼ିଶା ସମବାୟ ସେବା ( ନିଯୁକ୍ତି ଓ ସେବା ସର୍ତ୍ତାବଳୀ ) ନିୟମ ୧୯୭୪ ଅନୁଯାୟୀ ସ୍ତର ୧୨ ରେ କୌଣସି ପଦବୀ ନଥିବାରୁ ଏକ ନୂତନ ପଦ ଯଥା ବରିଷ୍ଠ ସହକାରୀ ସମବାୟ ନିବନ୍ଧକ ପଦ ସୃଷ୍ଟି କରାଯିବା ସହିତ ଓଡ଼ିଶା ସମବାୟ ସେବା ( ନିଯୁକ୍ତି ଓ ସେବା ସର୍ତ୍ତାବଳୀ ) ନିୟମ ୧୯୭୪ ର ସଂଶୋଧନ ପୂର୍ବକ ସଂଶୋଧ ଓଡ଼ିଶା ସମବାୟ ସେବା ( ନିଯୁକ୍ତି ଓ ସେବା ସର୍ଭାବଳୀ ) , ୨୦୨୩ କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି ।
  • ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ଓଡ଼ିଶା ପଞ୍ଚାୟତିରାଜ ସେବା ବର୍ଗରେ ପୁନଃବିନ୍ୟାସ ତଥା ପରିପୁଷ୍ଟ କରିବାର ଆବଶ୍ୟକତାକୁ ଅନୁଭବ କରି ସରକାର ୩୧୪ଟି ଦ୍ବିତୀୟ ଶ୍ରେଣୀର ପଦବୀକୁ ଉଚ୍ଛେଦ କରି ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀରୁ ଯୁଗ୍ମ ନିର୍ଦ୍ଦେଶକ ପଦବୀ ପର୍ଯ୍ୟନ୍ତ ୧୦୩ଟି ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
  • ଆଇଓସିଏଲ୍ ଓଡ଼ିଶାର ପାରାଦୀପଠାରେ ୫୮, ୦୪୨ କୋଟି ଟଙ୍କା ବିନିଯୋଗ ଦ୍ଵାରା ଏକ ମେଗା ଡୁଆଲ୍ ଫିଡ୍ କ୍ରାକର ପ୍ରତିଷ୍ଠା ପ୍ରସ୍ତାବ ସହିତ ଏହି ପ୍ରକଳ୍ପ ପାଇଁ ପ୍ରୋତ୍ସାହନ ରାଶିର ସ୍ୱତନ୍ତ୍ର ପ୍ୟାକେଜକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
  • ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ( ନିଯୁକ୍ତି ଓ ସେବା ସର୍ଭାବଳୀ ପ୍ରଣାଳୀ ) ନିୟମାବଳୀ ୨୦୨୧ ନିୟମ ୨ ( ଏଚ୍ ) ଅନୁଯାୟୀ ପ୍ରଦାନ କରାଯାଉଥିବା ଭିନ୍ନକ୍ଷମ ପ୍ରମାଣପତ୍ରର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାରର ଅଧିନିୟମ ୨୦୧୬ର ବ୍ୟବସ୍ଥା ମୁତାବକ ସଂଶୋଧନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
  • ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଅଁଳାଡୋଭା ମୌଜାରେ ରାଇରଙ୍ଗପୁର ଗୋଶାଳା କମିଟିର ଦଖଲରେ ଥିବା ଏ . ୫.୦୦ ଡି . ସରକାରୀ ଜମିକୁ ସମ୍ପାଦକ , ରାଇରଙ୍ଗପୁର ଗୋଶାଳା କମିଟିଙ୍କ ସପକ୍ଷରେ ବିନା ପ୍ରିମିୟମ ଓ ବିନା ଆନୁସଂଗିକ ଦେୟରେ ଲିଜ ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁରି ପ୍ରଦାନ କରିଛନ୍ତି।
  • ଓଡ଼ିଶା ପଞ୍ଚାୟତିରାଜ ଯାନ୍ତ୍ରିକ ସେବା ( ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ ) ନିୟମାବଳୀ – ୨୦୧୭ ସଂଶୋଧନ କରାଯାଇ ପଞ୍ଚାୟତି ରାଜ କ୍ୟାଡରର ସହକାରୀ ଯନ୍ତ୍ରୀମାନଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରେଡକୁ ପଦୋନ୍ନତି ଦିଆଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି।
  • ଓଡ଼ିଶା ଭୂ – ସଂସ୍କାର ଆଇନ୍ , ୧୯୬୦ ( ଓଡ଼ିଶା ଆଇନ ୧୯୬୦ , ଧାରା ୧୬ ) ର ଧାରା ୭୩ ( ଗ ) ଅନୁଯାୟୀ ଓଡିଶା ସରକାର ଟାଉନ୍ ପ୍ଲାନିଂ ସ୍କିମ୍‌ଗୁଡ଼ିକ ନିମନ୍ତେ ଏହା ଅଧୀନରେ ଆସୁଥିବା ଅଞ୍ଚଳରେ ବିଶେଷତଃ ସହରୀକରଣ ଓ ସହରାଞ୍ଚଳ ବିକାଶ ନିମନ୍ତେ ଚାଷ ଜମିକୁ ଅଣଚାଷ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକ୍ରମେ କିସମ ପରିବର୍ତ୍ତନ ଦେୟ ମୁକ୍ତ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
  • ନୟାଗଡ଼ର ‘ ବଲାଙ୍ଗିବନ୍ଧ ପାର୍କ ଓ ପୁଷ୍କରିଣୀ ‘ ନିର୍ମାଣ ନିମନ୍ତେ ନୟାଗଡ଼ର ସୁଜାତା ମହାପାତ୍ରଙ୍କ ବେସରକାରୀ ଜମିକୁ ସରକାରୀ ଖାତାଭୁକ୍ତ କରାଯାଇ ସମପରିମାଣର ସରକାରୀ ଜମିକୁ ତାଙ୍କ ସପକ୍ଷରେ ବଦଳର ନିବନ୍ଧକରଣ ନିମନ୍ତେ ସରକାରୀ ଷ୍ଟାମ୍ପ ଦେୟ ଓ ପଞ୍ଜିକରଣ ଫି ଛାଡ଼ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
  • ଜନଜାତିଙ୍କ ଜୀବିକା ଏବଂ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ପ୍ରସ୍ତାବିତ “ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ‘ ଦ୍ବାରା ପର୍ଯ୍ୟାୟ କ୍ରମେ ୧୪.୫ ଲକ୍ଷ ଜନଜାତି ପରିବାରଙ୍କୁ କୃଷି ଏବଂ ଆନୁସଂଗିକ କୃଷି କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯିବାର ପ୍ରସ୍ତାବ ସହିତ ପ୍ରଥମ ପର୍ଯ୍ୟାୟରେ ୨୦୨୨ ୨୩ ରୁ ୨୦୨୫ – ୨୬ ଆର୍ଥିକ ବର୍ଷରେ ୫୦୦ କୋଟି ଟଙ୍କା ବିନିଯୋଗ କରି, ମୋଟ ୧.୫ ଲକ୍ଷ ରୁ ଉର୍ଦ୍ଧ୍ବ ଜନଜାତି ହିତାଧିକାରୀଙ୍କୁ ୨୨ଟି ସମନ୍ବିତ ଜନଜାତି ବିକାଶ ସଂସ୍ଥା ମାଧ୍ୟମରେ ସହାୟତା ପ୍ରଦାନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
  • ଓଡ଼ିଶା ସରକାରଙ୍କ ଅଧୀନରେ ବନ୍ଦୋବସ୍ତ ଓ ଚକବନ୍ଦୀ ସଂସ୍ଥାର ୧୦୫ ଜଣ ଠିକା କର୍ମଚାରୀ ଯେଉଁମାନେ ୧୨ ଏପ୍ରିଲ ୧୯୯୩ ପୂର୍ବରୁ କାର୍ଯ୍ୟରେ ନିୟୋଜିତ ହୋଇଥିବେ ଓ ୧୫ ମାର୍ଚ୍ଚ ୨୦୦୫ ପରେ ଅବସରଣ ଗ୍ରହଣ / ମୃତ୍ୟୁବରଣ କରିଥିବେ , ସେମାନଙ୍କୁ / ସେମାନଙ୍କ ପରିବାରକୁ ଆଇନ ଅନୁଯାୟୀ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ / ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁରି ପ୍ରଦାନ କରିଛନ୍ତି ।
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁରୀ ନୀଳାଦ୍ରି କମ୍ପ୍ଲେକ୍ସ ହାଣ୍ଡଲୁମ୍‌ ଶୋ’ ରୁମରେ ଅଗ୍ନିକାଣ୍ଡ....

Fri Mar 10 , 2023
ବାସ୍ତବ ବ୍ୟୁରୋ: ୩୬ ଘଣ୍ଟା ପରେ ପୁରୀର ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିନେଇଥିବା ବେଳେ ଏବେ ଆଉ ଗୋଟିଏ ସ୍ଥାନରେ ନିଆଁ ଲାଗିଛି। ଆଜି ଅପରାହ୍ନରେ ବଡ଼ ଦାଣ୍ତରେ ଥିବା ନୀଳାଦ୍ରି କମ୍ଲେକ୍ସରେ ଥିବା ହାଣ୍ଡଲୁମ ଶୋ’ ରୁମରେ ଅଗ୍ନିକାଣ୍ଡ ଘଟିଛି। ଶର୍ଟ ଶର୍କିଟ ଯୋଗୁ ଶୋ’ ରୁମ ସୁଇଚ୍‌ ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବୁଧବାର ସନ୍ଧ୍ୟା ପ୍ରାୟ ୮ଟାରେ ଯେଉଁ […]

You May Like

Pin It on Pinterest