
ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଜମଧର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୩ଜଣ ଗୁରୁତର ଅବସ୍ଥାରେ କଟକ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ଖବର ଅନୁଯାଇ, ଗତକାଲି ବିଳମ୍ବିତ ରାତିରେ ବାଲିଆ ଅଧିକାରୀ ବିଭାନ ନାମକ ଠାକୁର ଗାଦି ଭୋଗ ଖାଇ ଦୁହୁରିଆରୁ ବାଲିଆ ଫେରୁଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାର ଜମଧର ନିକଟରେ କଟକ ଆଡୁ଼ ଦ୍ରୁତଗତିରେ ଆସୁଥିବା OD 05-AR-9309 ନମ୍ବର ବିଶିଷ୍ଟ ମାଛ ବୋଝେଇ ପିକଅପ୍ ଭ୍ୟାନ ଦୋଳ ବିମାନକୁ ସାମ୍ନା ପଟୁ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ଠାକୁର କାନ୍ଧେଇ ଥିବା ସ୍ଥାନୀୟ ବଡ଼ ଗାଁର ସୋମନାଥ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ ମେଡି଼କାଲରେ ଅଧିକାରୀ ଠାକୁରଙ୍କ ମାଲିକ ଦିବ୍ୟଜ୍ୟୋତି ଦାଶଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ କଟକ ମେଡି଼କାଲରେ ଭର୍ତ୍ତି କରାଯାଇଛି ।
ଗୁରୁତରଙ୍କ ମଧ୍ଯରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡି଼ଛି। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ପିକଅପ ଭ୍ୟାନକୁ ଜବତ କରିଛି । ଦୁର୍ଘଟଣାରେ ଦୋଳ ବିମାନ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ।ତେବେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।



