
ବାସ୍ତବ ବ୍ୟୁରୋ: ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ମହାସଂଘ । ଗତ ୧୫ ତାରିଖ ଠାରୁ ରାଜ୍ୟବ୍ୟାପି ଆରମ୍ଭ ହୋଇଥିବା ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ଆଜି(ଶୁକ୍ରବାର) ସ୍ଥଗିତ ରଖାଯାଇଛି। ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଭିଡିଓ ଜାରି କରି ଆନ୍ଦୋଳନରୁ ଓହରିବା ପାଇଁ ସେ ଡ୍ରାଇଭରମାନଙ୍କୁ ଅନୁରୋଧ କରିଥିଲା ବେଳେ ତିନିମାସ ମଧ୍ୟରେ ଦାବି ପୂରା ନହେଲେ ଆଗାମୀ ଦିନରେ ଓଡ଼ିଶା ବଡ଼ଧରଣର ଆନ୍ଦୋଳନ ଦେଖିବ ବୋଲି ଚେତାବନୀ ଦେଇଛନ୍ତି। ଏଥି ସହିତ ନବୀନ ନିବାସ ଆଗରେ ଡ୍ରାଇଭରମାନେ ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି।
ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, “ଡ୍ରାଇଭରଭାଇମାନେ ତିନିଦିନ ଧରି ନିଜର ହକ୍ ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନ ଯୋଗୁଁ ଜନସାଧାରଣ ହଇରାଣ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ପେଟ୍ରୋଲ ପମ୍ପରେ ତେଲ ନାହିଁ। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମହାସଂଘର ସମସ୍ତ ସଦସ୍ୟ ଆନ୍ଦୋଳନରୁ ଓହରିଯାଆନ୍ତୁ। ଆନ୍ଦୋଳନରୁ ଓହରିଯିବା ପାଇଁ ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଅନୁରୋଧ କରୁଛି। ଡ୍ରାଇଭରମାନଙ୍କ ଦାବି ପୂରଣ କରିବା ପାଇଁ ସରକାର ତିନିମାସ ସମୟ ନେଇଛନ୍ତି। ଏହି ସମୟ ମଧ୍ୟରେ ସରକାର ଆମମାନଙ୍କର ଅସୁବିଧାର ସମାଧାନ କରିବେ ବୋଲି ଆଶା କରାଯାଉଛି। କାରଣ ସରକାର ଲିଖିତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ସରକାର ତିନିମାସ ଅର୍ଥାତ ୯୦ ଦିନ ଭିତରେ ଦାବି ପୂରଣ ନ କଲେ ଓଡ଼ିଶାବାସୀ ୯୧ ଦିନରେ ଆଉ ଏକ ବଡ଼ଧରଣର ଆନ୍ଦୋଳନ ଦେଖିବେ। ଦାବି ପୂରା ନହେଲେ ନବୀନ ନିବାସ ଆଗରେ ଡ୍ରାଇଭରମାନେ ଆତ୍ମହୁତି ଦେବୁ। ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିବାରୁ ଆମେ ସରକାରଙ୍କୁ ଗୁରୁତ୍ବ ଦେଇଛେ ଏବଂ ଜନସାଧାରଣଙ୍କୁ ପ୍ରାଥମିକତା ଦେଇଛେ। ତେଣୁ ଆମେ ନିଜନିଜ କର୍ମକ୍ଷେତ୍ରରେ ଯୋଗଦେବାର ଆବଶ୍ୟକତା ରହିଛି।”
ତେବେ ଡ୍ରାଇଭର ମହାସଂଘର ଆନ୍ଦୋଳନ କାରଣରୁ ରାଜ୍ୟବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସାଧାରଣ ପରିବହନ ଉପରେ ଭରସା କରୁଥିବା ଲୋକେ ହଇରାଣ ହୋଇଥିଲେ। ଦୈନନ୍ଦିନ ବସ୍ରେ ଯାତାୟତ କରୁଥିବା ଲୋକେ ନାହିଁ ନଥିବାର ଅସୁବିଧାର ସାମ୍ନା କରିଥିଲେ। ସେହିପରି ରାଜ୍ୟର ଗ୍ରାମାଞ୍ଚଳରେ ବେପାରୀମାନେ ପେଟ୍ରୋଲ ଲିଟର ପିଛା ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିଲା।
ଡ୍ରାଇଭର ମହାସଂଘର ସଭାପତି ଶ୍ରୀ ମେଣ୍ଡୁଲି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ସହଯୋଗ କରିଥିବାରୁ ସେ ରାଜ୍ୟବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।



