
ବାସ୍ତବ ବ୍ୟୁରୋ: ଆଜି ଭୋର ସମୟରେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଥିଲା। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିଥିଲା। ବର୍ଷା ଓ ଝଡ଼ର ପ୍ରଭାବରେ କେତେକ ସ୍ଥାନରେ ଗଛ ଓ ହୋର୍ଡିଂ ଭାଙ୍ଗିଯାଇଥିବା ପରିଲକ୍ଷିତ ହୋଇଛି। ଏହି କାରଣରୁ ପ୍ରାୟ ଘଣ୍ଟାଏ କାଳ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି ଯେ ପଶ୍ଚିମା ଝଡ଼ ପ୍ରଭାବ ରାଜ୍ୟ ଆଉ ୨ଦିନ ଲାଗି ରହିବ ।
ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାଜ୍ୟରେ ବର୍ଷା ପବନ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୦ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ କନ୍ଧମାଳ। ସେହିପରି ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି।
ଏହି ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବ। ଏହାସହ ୪୦ରୁ ୫୦ କିମି ପବନ ବୋହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।