ସଂଜୟ ଶତପଥୀ(କଟକ): ୨୬/୦୩-ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟୁଣୀ ଠାରେ ମାହେଶ୍ୱରୀ ଇସ୍ପାତ କାରଖାନାକୁ ଷଡ଼ଯନ୍ତ୍ର କରି ହଠାତ୍ ବନ୍ଦ କରି ଦିଆଯାଇଛି । ବି.କେ.ଷ୍ଟିଲ୍ ନାମକ ଏକ ଘରୋଇ କମ୍ପାନୀକୁ ବିକ୍ରି କରି ଦିଆଯାଇଛି ।କର୍ମଚାରୀ ମାନଙ୍କୁ କୈାଣସି ନୋଟିସ ନଦେଇ ହଠାତ୍ ଏହି ଇସ୍ପାତ କାରଖାନାକୁ ବନ୍ଦ୍ କରି ଦିଆଯାଇଛି ।
ଯାହା ଫଳରେ ଦୀର୍ଘ ଦଶବର୍ଷରୁ ଉର୍ଦ୍ଧ୍ବ କାଳ ଧରି କାର୍ଯ୍ୟରତ ଶ୍ରମିକମାନେ ସେମାନଙ୍କର ଜୀବିକା ହରାଇଛନ୍ତି । ଏପରିକି ଶ୍ରମିକ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦିଆଯାଇନାହିଁ । ଏଥି ସହିତ ସେଠାରେ କାର୍ଯ୍ୟ ରତ ଜଣେ ଶ୍ରମିକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି । ସଂଙ ପକ୍ଷରୁ ଶ୍ରମିକ ମାନଙ୍କର ପ୍ରାପ୍ୟ ଦାବି କରାଯାଇ କୋର୍ଟର ଆଶ୍ରୟ ନିଆଯାଇ ଥିଲା । ମାନ୍ୟବର ଅଦାଲତ ଏହି ମୋକଦ୍ଦମାର ବିଚାର କରି ତୁରନ୍ତ ସେମାନଙ୍କର ପ୍ରାପ୍ୟ ଦେଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶ୍ରମିକ ମାନେ ସେମାନଙ୍କର ବକେୟା ବେତନ ବାବଦକୁ ୧୨ ଲକ୍ଷ ଟଙ୍କା ଦାବି କରିଥିଲେ।
ଏପରିକି ଶ୍ରମିକ ମାନେ ଶ୍ରମ ବିଭାଗକୁ କାରଖାନା ବନ୍ଦ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ ଶ୍ରମ ବିଭାଗ ରାଜନୈତିକ ଚାପ ଯୋଗୁଁ ନିରବଦ୍ରଷ୍ଟା ସାଜିଛନ୍ତି । ଏଠାରେ କୁହାଯାଇପାରେ ମାହେଶ୍ୱରୀ ଇସ୍ପାତ କାରଖାନାରେ ପ୍ରାୟ ୮ ଶହରୁ ଉର୍ଦ୍ଧ୍ବ ଶ୍ରମିକ ମାନେ ଦୀର୍ଘ ବର୍ଷ ବର୍ଷ ଧରି କାମ କରି ଆସିଛନ୍ତି । ବର୍ତ୍ତମାନ କମ୍ପାନୀ କର୍ତ୍ତୃପକ୍ଷ ହଠାତ୍ ଇସ୍ପାତ କାରଖାନାକୁ ବନ୍ଦ କରି ଦେବା ଫଳରେ ଶହ ଶହ ଶ୍ରମିକ ମାନେ ବେରୋଜଗାର ହୋଇ ନାନା ଦୁର୍ଦ୍ଦଶାର ସମ୍ମୂଖୀନ ହେଉଛନ୍ତି । ସରକାରଙ୍କ ପକ୍ଷରୁ ରାଜ୍ୟରେ ଶ୍ରମିକ ମାନଙ୍କୁ ନିଯୁକ୍ତିର ସୁଯୋଗ ଦିଆଯିବ ବୋଲି ନାରାବାଜି କରୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ମାହେଶ୍ୱରୀ ଇସ୍ପାତ କାରଖାନା ବନ୍ଦ ହେବା ଫଳରେ ଶ୍ରମିକ ମାନେ ବେକାର ହୋଇ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ହିସାବରେ ଚାଲିଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ମାହେଶ୍ୱରୀ ଇସ୍ପାତ କାରଖାନାକୁ ଖୋଲିବା ଏବଂ ଶ୍ରମିକମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବା ପାଇଁ ମାହେଶ୍ୱରୀ ଇସ୍ପାତ କାରଖାନା କର୍ମଚାରୀ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଶ୍ରମ ବିଭାଗ ମାହେଶ୍ୱରୀ ଇସ୍ପାତ କାରଖାନା ବିରୁଦ୍ଧରେ ୧୫ ଦିନ ମଧ୍ୟରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସଂଘ ପକ୍ଷରୁ କଟକ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ମାହେଶ୍ୱରୀ ଇସ୍ପାତ କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ସାହୁ, ସଭାପତି ଶାନ୍ତନୁ କୁମାର ମହାପାତ୍ର, ଉପସଭାପତି ଚଣ୍ଡୀ ପ୍ରସାଦ ଶତପଥୀ, ସାଧାରଣ ସମ୍ପାଦକ ପ୍ରକାଶ ରାଉତ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ , ଦୀପକ ମହାପାତ୍ର, ସରୋଜ ଦାସ, ପ୍ରଦୀପ କୁମାର ସୁବୁଦ୍ଧି, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ସହ ପ୍ରଭାରୀ ମୁକ୍ତିକାନ୍ତ ସାହୁ , ଭାରତୀୟ ମଜଦୁର ସଂଘର କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥ, ଉପସଭାପତି ଅଶୋକ ସ୍ୱାଇଁ, ଆଇନଜୀବୀ ରମାକାନ୍ତ ସାହୁ, ସମ୍ପାଦକ ଭାଗୀରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।