
ବାସ୍ତବ ବ୍ୟୁରୋ: ମୌସୁମୀକୁ ନେଇ ଆଇଏମଡି ର ପୂର୍ବାନୁମାନ; ଏଥର ସ୍ବାଭାବିକ ରହିବ ମୌସୁମୀ । ଆଇଏମ୍ଡି କହିଛି ଯେ ଚଳିତ ବର୍ଷ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ୮୩.୫ ସେଣ୍ଟିମିଟର ବର୍ଷା ହେବ।
ଚଳିତ ବର୍ଷ ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକର ୯୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସ୍ୱାଭାବିକ ବୃଷ୍ଟିପାତ ଶ୍ରେଣୀରେ ଆସୁଛି ।
ଆଜି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ତେବେ ଏଲ ନିନୋର ପ୍ରଭାବ ମୌସୁମୀ ବେଳେ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଏହା ବର୍ଷାକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ତେବେ ମୌସୁମୀ କେବେ ପ୍ରବେଶ କରିବ ଓ କେଉଁ ଅଞ୍ଚଳରେ କେତେ ବର୍ଷା ହେବ, ସେକଥା ଆଇଏମଡି ଏବେ କହି ନାହିଁ। ଆସନ୍ତା ମାସ ପ୍ରଥମ ସପ୍ତାହରେ ଆଇଏମଡି ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଭାରତରେ ସ୍ୱାଭାବିକ ବର୍ଷା ହେବ। ସେହିପରି ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ଉତ୍ତର ପଶ୍ଚିମ ଭାରତ, ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତର-ପୂର୍ବାଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ସେହିପରି ଉପଦ୍ୱୀପାଞ୍ଚଳ, ସଂଲଗ୍ନ ପୂର୍ବ, ଉତ୍ତର-ପୂର୍ବାଞ୍ଚଳ ଓ ଉତ୍ତର-ପଶ୍ଚିମ ଭାରତର କେତେକ ସ୍ଥାନରେ ସ୍ୱାଭାବିକ ବର୍ଷା ହୋଇପାରେ ।
ଆଇଏମଡି ପୂର୍ବରୁ ଗତକାଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଥିଲା ଯେ ଏବର୍ଷ ଦେଶରେ ନିଅଣ୍ଟିଆ ମୌସୁମୀ ହେବ ।
ସାରା ଦେଶରେ ସ୍ୱାଭାବିକ ବର୍ଷାର ଆକଳନ ହୋଇଥିଲେ ମଧ୍ୟ ଉତ୍ତର ପଶ୍ଚିମ ଭାରତର କିଛି ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ହେବାର ଆଶଙ୍କା ରହିଛି। ଏଲ ନିନୋର ପ୍ରଭାବ ଯଦି ମୌସୁମୀର ଦ୍ୱିତୀୟ ଭାଗରେ ଶକ୍ତିଶାଳୀ ହେବ, ତା’ହେଲେ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଚାଷ କାମ ପ୍ରଭାବିତ ହେବାର ଆଶଙ୍କା ରହିଛି।