ରାଜ୍ୟରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଏସ୍‌ଓପି ଜାରି କଲେ ଏସ୍‌ଆର୍‌ସି…

summer
summer

ବାସ୍ତବ ବ୍ୟୁରୋ: ରାଜ୍ୟରେ ଗତ ଦୁଇଦିନ ହେଲା ତାତି ବଢ଼ିଥିବାବେଳେ ଜୁନ୍‌ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ। ତେଣୁ ରାଜ୍ୟରେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଆଜି ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ ଏସ୍‌ଓପି ଜାରି କରିଛନ୍ତି।

ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଏନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଥିବା ବେଳେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ କ’ଣ କରିବେ, କ’ଣ କରିବେନି ସେନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିବାକୁ କୁହାଯାଇଛି। ଯେଉଁ ଗାଁ, ୱାର୍ଡ, ପଡ଼ାରେ ଜଳସଙ୍କଟ ସ୍ଥିତି ଅଛି ସେଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ କରିବା ସହ ଖରାପ ନଳକୂପକୁ ମରାମତି କରିବା, କେନାଲରେ ପାଣି ଛାଡ଼ିବା, ପାନୀୟ ଜଳସେବା କେନ୍ଦ୍ର ଖୋଲିବା, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ କୁହାଯାଇଛି।

ସେହିପରି ସ୍କୁଲ, କଲେଜ ଏବଂ ସମସ୍ତ ଶିକ୍ଷାନୁଷ୍ଠାନରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା, ଓଆର୍‌ଏସ୍‌ ରଖିବା, ପଡ଼ିଆରେ ‌ଖେଳକୁଦ ବନ୍ଦ କରିବା, ସ୍କୁଲରେ ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସଚେତନ କରିବା, ଅଭିଭାବକମାନେ ପିଲାଙ୍କୁ ପାଣି ବୋତଲ ଦେଇ ସ୍କୁଲ ଛାଡ଼ିବା, କେବଳ ସକାଳ ସମୟରେ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ କୁହାଯାଇଛି।

ଏହାସହ ସମସ୍ତ ପିଏଚ୍‌ସି, ସିଏଚ୍‌ସି, ସବ୍‌ଡିଭିଜନ, ଜିଲ୍ଲା ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍, ଓଆର୍‌ଏସ୍‌ ରଖାଯିବ। ଅଂଶୁଘାତ ୱାର୍ଡ ଖୋଲିବ, ସମସ୍ତ ଯାତ୍ରୀବାହୀ ବସ୍‌ରେ ପାଣି, ଓଆର୍‌ଏସ୍‌ ରଖିବା, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେନି, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ କୁହାଯାଇଛି।

ଯେଉଁଠି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିବ ସେଠାରେ ତହସିଲଦାର/ଅତରିକ୍ତ ତହସିଲଦାର କିମ୍ବା ରାଜସ୍ବ ଅଧିକାରୀଙ୍କ ସହ ସିଡିଏମ୍‌ଓ/ଏସ୍‌ଡିଏମ୍‌ଓ ଏହାର ତଦନ୍ତ କରି ରିପୋର୍ଟ ଦେବେ। ଅଂଶୁଘାତ ମୃତ୍ୟୁ ପ୍ରମାଣିତ ହେଲେ ତୁରନ୍ତ କ୍ଷତିପୂରଣ ଦେବା ବ୍ୟବସ୍ଥା କରାଯିବ। ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ଜିଲ୍ଲାସ୍ତରରେ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିବାକୁ କୁହାଯାଇଛି।

ସେୟାର କରନ୍ତୁ

Next Post

ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୭,୮୦୦ ଉପରେ; ୪୦ ହଜାର ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

Wed Apr 12 , 2023
ବାସ୍ତବ ବ୍ୟୁରୋ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୭,୮୦୦ ଅତିକ୍ରମ କରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି (ବୁଧବାର) ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୭,୮୩୦ କରୋନାଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୫,୮୩୦ ନୂତନ […]

You May Like

Pin It on Pinterest