
ସଂଜୟ ଶତପଥୀ(କଟକ): ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋ ଆଉ ନାହାଁନ୍ତି । ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।
ଶ୍ରୀ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହଉଥିଲେ । ଆଜି ସକାଳ ପ୍ରାୟ ୭ଟାରେ ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ତାଙ୍କର ବିୟୋଗରେ ଓଡ଼ିଶା ଜଣେ ପ୍ରବୀଣ ରାଜନୈତିଜ୍ଞ ତଥା ଅର୍ଥନୀତିଜ୍ଞଙ୍କୁ ହରାଇଲା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।
ତ୍ରିଲୋଚନ କାନୁନଗୋ କଟକ ପୌରପାଳିକାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ଅଡଶପୁରସ୍ଥିତ ୟୁଏନ୍ କଲେଜର ପରିଚାଳନା ସମିତିର ସୁପ୍ରତିଷ୍ଠିତ ଅଧ୍ୟକ୍ଷ ଭୂମିକା ନିର୍ବାହ କରୁଥିଲେ । ଏହାସହ ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଜଗତସିଂହପୁର ଲୋକସଭା ଆସନରୁ ସେ ୧୯୯୯ ମସିହାରେ ବିଜୁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ । ସେ ୩ ଥର ବିଧାୟକ ଓ ଥରେ ସାଂସଦ ନିର୍ବାଚିତ ହୋଇଥିଲେ । ତ୍ରିଲୋଚନ କାନୁନଗୋ ୧୯୪୦ ମସିହା ନଭେମ୍ବର ୨୪ ତାରିଖରେ କଟକ ଜିଲ୍ଲା ବଡ଼ମୂଳେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ସେ କଟକର ଶେଖ୍ ବଜାରରେ ଗତ କିଛି ବର୍ଷ ହେବ ରହି ଆସୁଥିଲେ । ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ବିଭିନ୍ନ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ପରଲୋକଗତ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଗଭୀର ଶୋକପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ସେହିପରି ବିଜେପିର ବରିଷ୍ଠନେତା ବିଜୟ ମହାପାତ୍ର କଂଗ୍ରେସର ପୁର୍ବତନ ରାଜ୍ଯ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବହୁ ରାଜନେତା ଘରୋଇ ହସ୍ପିଟାଲରେ ପହଞ୍ଚି ଶ୍ରୀ କାନୁନଗୋଙ୍କ ଶେଷ ଦର୍ଶନ କରିଥିବା ବେଳେ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏଥିସହ ବିଧାୟକ ଇଂ. ମହମ୍ମଦ ମୋକିମ,କଟକ ମହାନଗର ନାଗରିକ ମହାସଭାର ଡାକ୍ତର ରବିରଞ୍ଜନ ସାହୁ ଓ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।