
ବାସ୍ତବ ବ୍ୟୁରୋ : କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ।
କେନ୍ଦୁପତ୍ର ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି । ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦୁପତ୍ର ହିତାଧିକାରୀଙ୍କୁ ୧୧୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ।
ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି। ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ, ଯାହା କି ଗୋଟିଏ ଫସଲ ବର୍ଷରେ ଏକ ସର୍ବକାଳୀନ ରେକର୍ଡ।
କେନ୍ଦୁପତ୍ର ହିତାଧିକାରୀମାନେ ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି । ସେମାନଙ୍କ ଜୀବନଧାରଣ ମାନର ଉନ୍ନତି ନିମନ୍ତେ ଏହି ଘୋଷଣା ସହାୟକ ହେବ।
ରାଜ୍ୟ ସରକାରଙ୍କ ଏହି ଘୋଷଣା ଦ୍ୱାରା ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ୭.୭୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଏବଂ ୪୦ ହଜାର ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଏହି ସହାୟତା ମିଳିବ।
ପ୍ରତ୍ୟେକ ତୋଳାଳିଙ୍କୁ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣିବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଓ ୧୬୦ ଟଙ୍କା ମିଳିବ। ସେହିପରି ପ୍ରତ୍ୟେକ ବନ୍ଧାଳି ଓ ସିଜିନାଲ ଷ୍ଟାଫଙ୍କୁ ଆର୍ଥିକ ସହାୟତା ଭାବରେ ୧୫୦୦ ଟଙ୍କା ଦିଆଯିବ।
କେନ୍ଦୁପତ୍ର ସଂଗ୍ରହ ହେଉଥିବା ରାଜ୍ୟର ୨୨ଟି ଜିଲ୍ଲା ମଧ୍ୟରୁ ଝାରସୁଗୁଡ଼ା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ହିତାଧିକାରୀମାନେ ଏହି ସହାୟତା ପାଇବେ। ନିର୍ବାଚନ ଆଚରଣ ବିଧି ଉଠିବା ପରେ ଝାରସୁଗୁଡ଼ାର ହିତାଧିକାରୀମାନଙ୍କୁ ଏହି ସହାୟତା ମିଳିବ।



