
ବାସ୍ତବ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ, ଆଜି ସକାଳ ୮.୩୦ରେ ଦକ୍ଷିଣ ବଙ୍ଗୋପସାଗର ଓ ତତ୍ସଂଲଗ୍ନ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।
ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସେହି ଅଞ୍ଚଳରେ ତୀବ୍ରତର ହୋଇ ୯ ତାରିଖ ଦିନ ଅବପାତରେ ପରିଣତ ହେବା ପରେ ଆହୁରି ତୀବ୍ରତର ହୋଇ ୧୦ ତାରିଖ ଦିନ ଦକ୍ଷିଣପଶ୍ଚିମ ବଙ୍ଗୋପସାର ଏବଂ ତତ୍ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଉପରେ ସାମୁଦ୍ରିକ ବାତ୍ୟାରେ ପାଲଟିବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ସୂଚନା ଦେଇଛି।
ପ୍ରାଥମିକ ପର୍ଯ୍ୟାୟରେ ଏହି ସାମୁଦ୍ରିକ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ମେ ୧୧ ତାରିଖ ପର୍ଯ୍ୟନ୍ତ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହୋଇପାରେ।
ଭାରତୀୟ ପାଣିପାଗ ବିଭାଗର ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ଏହି ସୂଚନାକୁ ସୁନିଶ୍ଚିତ କରିଛନ୍ତି। ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ସେ କହିଛନ୍ତି, ସେହି ସମାନ ଅଞ୍ଚଳରେ ମେ ୯ ତାରିଖ ଦିନ ଲଘୁଚାପ କ୍ଷେତ୍ରଟି ତୀବ୍ରତର ହୋଇ ଅବପାତରେ ପରିଣତ ହେବା ପରେ ମେ ୧୦ ତାରିଖ ଦିନ ଦକ୍ଷିଣପଶ୍ଚିମ ବଙ୍ଗୋପସାର ଏବଂ ତତ୍ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଉପରେ ସାମୁଦ୍ରିକ ବାତ୍ୟାରେ ପାଲଟି ପାରେ।