
ବାସ୍ତବ ବ୍ୟୁରୋ: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ ଆସିଛି।ତାଙ୍କ ବୋହୂ ରୋନାଲି ବେହେରା କରିଛନ୍ତି ଏହି ଅଭିଯୋଗ। ରୋନାଲି ଶ୍ୱଶୁର ଶଶିଭୂଷଣ ବେହେରାଙ୍କ ସହିତ ସ୍ୱାମୀ ସତ୍ୟପ୍ରକାଶ ବେହେରା, ଶାଶୁ ସୁପ୍ରଭା ମହାନ୍ତି, ନଣଦ ସୁଶ୍ରୀ ଭାରତୀ ବେହେରା ଓ ମାଉସୀ ଶାଶୁ ପ୍ରତିଭା ମହାନ୍ତିଙ୍କ ନାଁରେ ଏଫଆଇଆର ଦେଇଛନ୍ତି। ଗତ ମାର୍ଚ୍ଚ ୩ ତାରିଖରୁ ରୋନାଲି କଟକ ଜିଲ୍ଲା ବାଙ୍କୀ ଥାନାରେ ଏତଲା ଦେଇ ସାରିଛନ୍ତି।
ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ଯାତନା ପାଇଥିବା ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିଛନ୍ତି । ଶଶି ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି। ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୁର ଶଶିଭୂଷଣ ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି। ତାଙ୍କର କହିବା ଅନୁଯାୟୀ ଶ୍ୱଶୁର ଘର ଲୋକେ ୪୦ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ। ତାଙ୍କୁ ସ୍ବାମୀ ବି ଧକ୍କା ମାରିଥିଲେ। ଉଲ୍ଲେଖଯୋଗ୍ୟ, ରୋନାଲିଙ୍କ ବାପା ଜଣେ ଅବସରପ୍ରାପ୍ତ କର୍ମଚାରୀ।

୨୦୨୧ ମାର୍ଚ୍ଚ ୩ ତାରିଖରେ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ବିବାହ କଟକ ବାଙ୍କୀ ଅଞ୍ଚଳର ବେଦପୁରର ଅବସରପ୍ରାପ୍ତ ବିଚାରପତି ଗୋଖା ବେହେରାଙ୍କ ଝିଅ ରୋନଲିଙ୍କ ସହିତ ସମ୍ପନ୍ନ ହୋଇଥିଲା।
ବୋହୂଙ୍କ ଅଭିଯୋଗ ନେଇ ବିଧାୟକ ଶଶି ବେହେରା କହିଛନ୍ତି, ମୋ ନାଁରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ପୁଅ-ବୋହୂଙ୍କ ଭିତରର କଥା।ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଥାଇପାରେ। ଆମ ଘରେ ମାସେ ୧୧ ଦିନ ରହିବା ପରେ ବୋହୂ ତାଙ୍କ ଘରକୁ ଯାଇଛି। ନିଜେ ତାଙ୍କ ବାପା ଆସି ବୋହୂକୁ ଘରକୁ ନେଇ ଯାଇଛନ୍ତି।