
ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, “ଗତବର୍ଷ କୋରନା ସଂକ୍ରମଣ ଉପମୁହାଁ ଥିଲା ଏଥିପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରି ନଥିଲା। କିନ୍ତୁ ଏଥର ହେବ। ଫେଲ୍ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ପରୀକ୍ଷା କରାଯିବ। ଏନେଇ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ।”
ଚଳିତ ବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି। ଅର୍ଥାତ ଫେଲ ହୋଇଛନ୍ତି ୭୬୪୫ ଜଣ ଛାତ୍ରଛାତ୍ରୀ। ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ। ସେହିପରି ଯେଉଁମାନେ ଫର୍ମ ପୂରଣ କରିଥିବା ବେଳେ ପରୀକ୍ଷା ଦେଇ ନଥିଲେ ସେମାନେ ମଧ୍ୟ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ।
ଅନ୍ୟପକ୍ଷରେ ୨୩ ତାରିଖରୁ ରିଚେକିଂ ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି। ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ଛାତ୍ରଛାତ୍ରୀମାନେ ଅଫ୍ଲାଇନଆ ଆବେଦନ କରିପାରିବେ ବୋଲି ସେ କହିଛନ୍ତି।