
ବାସ୍ତବ ବ୍ୟୁରୋ: ଆଜି ହେଉଛି ସାବିତ୍ରୀ ଓଷା। ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ। ଆଜି ମହାସତୀ ସାବିତ୍ରୀ ପତି ସତୟବାନଙ୍କୁ ଯମଙ୍କ ନିକଟରୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି। ଏ ବ୍ରତକଥାର ବାର୍ତ୍ତା ହେଉଛି- ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ, ସେ ଜନ୍ମେ ଜନ୍ମେ ସଧବା ରହିବ।
ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା। ଆଜି ସକାଳୁ ସକାଳୁ ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢିରେ ସଜେଇ ହୋଇ କେହି କେହି ସଧବା ମହିଳା ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରୁଥିବା ପରିଲକ୍ଷିତ ହେଉଛି। ଏହି କାରଣରୁ ବିଭିନ୍ନ ମନ୍ଦିରରେ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ।



