
ମନୋଜ ମହାନ୍ତି(ଭୁବନେଶ୍ବର): ସବୁ କଳ୍ପନା ଜଳ୍ପନାର ଅନ୍ତ, କାଲି ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ନେବେ ନୂଆ ମନ୍ତ୍ରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।ହେଲେ ନୂଆ ମନ୍ତ୍ରୀମାନଙ୍କ ନାମ ଏଯାଏ ଅସ୍ପଷ୍ଟ ।
ଆସନ୍ତାକାଲି ଠିକ୍ ସକାଳ ୯ଟା ୫୦ମିନିଟ୍ ରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ।ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଶପଥ ଗ୍ରହଣ ସୂଚୀ ଜାରି କରାଯାଇଛି । ୯ଟା ୫୦ରେ ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କାହା ମୁଣ୍ଡରେ ନବୀନ ସୁନାକଳସ ଢାଳିବେ ସେନେଇ ଚର୍ଚ୍ଚା ଜୋର ଧରିଛି ।
ହେଲେ କାହାକୁ ମନ୍ତ୍ରୀ କରାଯିବ ତାହା ସ୍ପଷ୍ଟ ହୋଇନଥିବାବେଳେ , ହେର୍ଡକ୍ୱାର୍ଟର ନଛାଡିବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ବିଜେଡି ବିଧାୟକଙ୍କ ହୃଦସ୍ପନ୍ଦନ ବଢିବାରେ ଲାଗିଛି । ସୂଚନା ଅନୁସାରେ ଅପରାହ୍ଣ ୩ଟା ପରେ ବିଧାୟକ ଓ ମନ୍ତ୍ରୀଙ୍କୁ ଫୋନ୍ କଲ ଆସିପାରେ । କାହାକୁ ନୂଆ ମନ୍ତ୍ରୀ ପଦ ମିଳିବ ଓ ଆଉ କିଏ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବ, ତାକୁ ନେଇ ନେତାଙ୍କ ଛାତି ଧଡପଡ ହେବାରେ ଲାଗିଛି ।
ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ କାହାକୁ ବି ମୁଖ୍ୟମନ୍ତ୍ରୀଙ୍କ ଫୋନ୍ ଯାଇନଥିବା ଜଣାପଡ଼ିଛି।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଦିନକ ପୂର୍ବରୁ ଅର୍ଥାତ୍ ରବିବାର ରାତି ୮ଟାରେ ହରିଆନାରୁ ଫେରୁଛନ୍ତି। ସୋମବାର ପୂର୍ବାହ୍ନରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ସଂସଦୀୟ ବ୍ୟାପାର ବିଭାଗ ସୂତ୍ରରୁ ଜଣାପଡ଼ିଛି। କିଛି ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ମଧ୍ୟ ହୋଇପାରେ।
ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତେଣୁ ୩ଜଣ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇପାରିବେ। ପରବର୍ତ୍ତୀ ସମୟରେ ନୂଆ ବାଚସ୍ପତି ଚୟନ ହେବେ। କାହା ଉପରେ ମୁଖ୍ୟମନ୍ତ୍ରୀ ସୁନା କଳସ ଢାଳିବେ, ତାହାକୁ ନେଇଜୋର୍ଦାର ଅଙ୍କକଷା ଚାଲିଛି। ମନ୍ତ୍ରୀ ପଦ ଏକ ବର୍ଷରୁ କମ୍ ସମୟ ପାଇଁ ମିଳୁଥିଲେ ବି ସମସ୍ତଙ୍କ ନଜର ତାହା ଉପରେ ରହିଛି। ସୋମବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଖବର ଶୁଣି କିଛି ବିଧାୟକ ଦୁବାଇ ଗସ୍ତକୁ କାଣ୍ଟ ଛାଣ୍ଟ କରିଛନ୍ତି। ରବିବାର ଦୁବାଇରୁ ଭୁବନେଶ୍ବରକୁ ସିଧା ବିମାନ ନଥିଲେ ବି ଭାୟା ମୁମ୍ବାଇ, ଦିଲ୍ଲୀ ହୋଇ ଓଡ଼ିଶା ଫେରିବାକୁ ଟିକେଟ୍ କରିଥିବା ଜଣାପଡ଼ିଛି।
ଦୀପାଳି ଦାସ, ଲତିକା ପ୍ରଧାନ, ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କ ନାଁ ଚର୍ଚ୍ଚାରେ ରହିଛି । ଦୀପାଳି ଦାସ ଝାରସୁଗୁଡାର ବିଧାୟିକା ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା କରାଯାଉଛି । ସେହିଭଳି ଗଞ୍ଜାମ କବିସୂର୍ଯ୍ୟନଗରରୁ ବିଧାୟିକା ଅଛିନ୍ତି ଲତିକା ପ୍ରଧାନ । ଭଂଜନଗରରୁ ୬ ଥର ବିଧାୟକ ହୋଇଥିବା ତଥା ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ପଶ୍ଚିମ ଓଡିଶାର ଦୁଇଜଣ ଟାଣୁଆ ନେତା ଶାରଦା ନାୟକ ଓ ସୁଶାନ୍ତ ସିଂଙ୍କୁ ବି ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଗତ ସପ୍ତାହରେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ । ତେଣୁ ପରବର୍ତୀ ବାଚସ୍ପତି କିଏ ହେବ ସେ ନେଇ ବି ଅଙ୍କକଷା ଚାଲିଛି ।ଚର୍ଚ୍ଚାରେ ଅଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର, ଅମର ଶତପଥୀ ଓ ପ୍ରଫୁଲ୍ଲ ସାମଲ । ଦେବୀ ମିଶ୍ରଙ୍କ ନାଁ ବାଚସ୍ପତି ରେସରେ ଚର୍ଚ୍ଚାରେ ଅଛି । ବଡମ୍ବାରୁ ବିଧାୟକ ଥିବା ଦେବୀ ମିଶ୍ର ପୂର୍ବରୁ ମନ୍ତ୍ରୀ ରହିସାରିଛନ୍ତି ।
ସେହିଭଳି ବଡଚଣାରୁ ବିଧାୟକ ଥିବା ଅମର ଶତପଥୀ ବିଜେଡିର ଜଣେ ବରିଷ୍ଠ ନେତା । ସେ ମଧ୍ୟ ପୂର୍ବରୁ ମନ୍ତ୍ରୀ ଓ ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିସାରିଛନ୍ତି । ସେହିଭଳି ବିଜେଡିରେ ଆଉ ଜଣେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ୧୯୯୦ରୁ ବର୍ତମାନ ସୁଦ୍ଧା ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଲେଣି । ଭଦ୍ରକରୁ ୩ଥର ନିର୍ବାଚିତ ହୋଇଥିବାବେଳେ ଭଣ୍ଡାରୀପୋଖରୀରୁ ୩ ଥର ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ସେ ଭଣ୍ଡାରୀପୋଖରୀରୁ ବିଧାୟକ ଅଛନ୍ତି । ରାଜ୍ୟ ମନ୍ତ୍ରିମଣ୍ଡଳର ବି ପ୍ରତିନିଧିତ୍ୱ କରିସାରିଛନ୍ତି ।ଦେଖାଯାଉ ବିଜେଡି ସୁପ୍ରିମୋ ସୁନା କଳସ କାହାକାହା ମୁଣ୍ଡରେ ଢାଳିଛନ୍ତି ।