ନତକାଇ ବାଘୁଆ ପୋଖରୀରେ ବିଷ ପକାଇଲେ ଦୁର୍ବୁତ୍ତ….

ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : ନତକାଇ ପଞ୍ଚାୟତ ଅଧିନରେ ଥିବା ବାଘୁଆ ପୋଖରୀରେ ରବିବାର ରାତିରେ କେହି ଦୁର୍ବୁତ୍ତ ବିଷ ପକାଇ ଦେଇଥିଲେ । ସୋମବାର ସକାଳେ ପୋଖରୀ ଚାରିପଟେ ମଲା ମାଛ ଭାସୁଥିବାର ଲୋକେ ଦେଖି ଏଠାରେ ମାଛ ଚାଷ କରିଥିବା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଖବର ଦେଇଥିଲେ ।

ଗୋଷ୍ଠୀର ସଦସ୍ୟାମାନେ ପୋଖରୀରେ ମାଛ ମରିଯାଇଥିବା ଏବଂ ପାଣିରୁ ଦାନାଦାର ବିଷର ଦୁର୍ଗନ୍ଧ ବାରି ତାଙ୍କର କେହି ଶତ୍ରୁ କ୍ରୋଧାନ୍ୱିତ ହୋଇ ବିଷ ପକାଇଦେଇଥିବା ଆଶଙ୍କା କରିଥିଲେ । ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରାଇବା ପରେ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ନତକାଇ ଗ୍ରାମର ମା’ ବୁଢୀ ଜାଗୁଳାଇ ସ୍ୱୟଂ ସହାୟିକା ଗୋଷ୍ଠୀ ଗତ ଫେବୃୟାରୀ ମାସରେ ପଞ୍ଚାୟତ ପକ୍ଷରୁ ଉପଯୁକ୍ତ ପ୍ରକ୍ରିୟାରେ ନିଲାମଡାକି ୫ ବର୍ଷ ପାଇଁ ଏହି ବାଘୁଆ ପୋଖରୀକୁ ଲିଜ୍ ସୁତ୍ରରେ ନେଇଥିଲେ । ପରବର୍ତ୍ତୀ ସମୟରେ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଋଣ ଆଣି ପୋଖରୀ ସଫେଇ କରିବା ସହିତ ଏଥିରେ ରୋହି, ଭାକୁର, ମିରିକାଳି, ସିଲଭରକପ୍ ଆଦି ମାଛ ଯାଆଁଳ ଛାଡି ଏହାର ଯତ୍ନ ନେଇ ମାଛ ଚାଷ କରିଥିଲେ ।

ଏହି ପୋଖରୀକୁ ଦୁଇ ଜଣ ଲୋକ ମଧ୍ୟ ରାତିରେ ଜଗୁଥିଲେ । ଗତ ରବିବାର ରାତିରେ ସ୍ଥାନୀୟ ଅଂଚଳର ତିନି ଚାରି ଜଣ ଲୋକ ଆସି ପୋଖରୀ ଭିତରେ ପଶିଥିବାର ଜଗୁଆଳୀ ଦେଖିଥିଲେ । ପରବର୍ତ୍ତୀ ସମୟରେ ମାଛ ଗୁଡିକ ମରି ଯାଇଥିବାରୁ ରାତିରେ ପୋଖରୀକୁ ଆସିଥିବା ସଂପୃକ୍ତ ବ୍ୟକ୍ତିମାନେ ବିଷ ପକାଇଦେଇ ପଳାଇଯାଇଥିବା ଜାଣି ସେମାନଙ୍କ ନାଁରେ ଥାନାରେ ମଧ୍ୟ ଗୋଷ୍ଠୀ ପକ୍ଷରୁ ଏତଲା ଦାଏର କରାଯାଇଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ଆସି ତଦନ୍ତକରି ସତ୍ୟାସତ୍ୟ ଜାଣିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କୁ ଥାନାକୁ ଯିବା ପାଇଁ କହିଛନ୍ତି ।

ଅପରପକ୍ଷରେ ସ୍ୱୟଂ ସହାୟିକା ଗୋଷ୍ଠୀ ଋଣ କରି ଯେଉଁ ମାଛ ଚାଷ କରିଥିଲା ଏବେ ସେଗୁଡିକ ନଷ୍ଟ ହେବା ପରେ ସେମାନଙ୍କର ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ସରକାରଙ୍କ ପକ୍ଷରୁ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସହାୟତା ଯୋଗାଇ ଦେବା ସହିତ ଯେଉଁ ଦୁର୍ବତ୍ତମାନେ ଏଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଣ୍ଡିତ କରିବା ପାଇଁ ଗୋଷ୍ଠୀର ସଭାନେତ୍ରୀ ସ୍ୱର୍ଣ୍ଣଲତା ସେନାପତିଙ୍କ ସହ ସମସ୍ତ ସଭ୍ୟାମାନେ ଦାବି କରିଛନ୍ତି ।

ସେୟାର କରନ୍ତୁ

Next Post

ମନ୍ଦିର ପୂଜକଙ୍କ ବଦାନ୍ୟତା ଫେରାଇଲେ ପାଇଥିବା ସୁନାଚେନ୍....

Tue May 30 , 2023
ଜୟନ୍ତ ଶତପଥୀ(ଡେରାବିଶ): ସୋମବାର ଦିନ କଟକ ଜିଲ୍ଲା ନରାଜ ସ୍ଥିତ ଶ୍ରୀ ସିଦ୍ଧେସ୍ୱର ମହାଦେବ ଙ୍କ ପୀଠ ରେ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଗ୍ରାମପଞ୍ଚାୟତ ଲହଣଶାସନ ଗ୍ରାମ ନିବାସୀ ଅଶ୍ୱିନୀ କୁମାର ଶତପଥୀ ଙ୍କର ଏକ ରୁଦ୍ରାଭିଷେକ କର୍ମ ହେଉଥିଲା । ରୁଦ୍ରାଭିଷେକ ପରିସମାପ୍ତି ପରେ ସେ ଯେତେବେଳେ ଘରେ ପହଁଚିଲେ ଏ ସମୟରେ ଜାଣିବାକୁ ପାଇଲେ କି ତାଙ୍କର ପାଖାପାଖି ସାଢେତିନି ଭରି ଓଜନ ର ଏକ ସୁନା […]

You May Like

Pin It on Pinterest