ବାସ୍ତବ ବ୍ୟୁରୋ: ରେଳବାଇ ମୁଖପାତ୍ର ଅମିତାଭ ଶର୍ମାଙ୍କ ସୂଚନାନୁଯାୟୀ, ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କରାଯିବା ଅଭିଯାନ ଶେଷ ହୋଇଛି ଏବଂ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି ।
ସେ କହିଛନ୍ତି ଯେ, ଏହି ରୁଟ୍ରେ ଦୁର୍ଘଟଣା ନିରୋଧୀ ‘କବଚ’ ଉପଲବ୍ଧ ନ ଥିଲା। ‘କବଚ’ ବ୍ୟବସ୍ଥା ଥିଲେ ଟ୍ରେନ୍ ଦୁଇଟି ପରସ୍ପର ସହିତ ଧକ୍କା ଖାଇ ନ ଥାଆନ୍ତେ।
ତେବେ କଣ ଏହି ‘କବଚ’?
୨୦୨୨ ମାର୍ଚ ୨୩ରେ ରେଳ ମନ୍ତ୍ରାଳୟ ଘୋଷଣା କରିଥିଲା ଯେ, ଭାରତରେ ଟ୍ରେନ୍ ଚଳାଚଳର ସୁରକ୍ଷା ନିମନ୍ତେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ୍’ (ଏଟିପି) ବା ‘କବଚ’ ପଦକ୍ଷେପ ନିଆଯାଉଛି। ‘ରିସର୍ଚ ଡିଜାଇନ୍ସ୍ ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅର୍ଗାନାଇଜେସନ୍’ ଏବଂ ଅନ୍ୟ ତିନିଟି ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ଭାରତୀୟ ରେଳ ପାଇଁ ଏହି ‘ଏଟିପି’ ବିକଶିତ କରାଯାଇଥିଲା।
‘ସିଗ୍ନାଲ୍ ପାସିଙ୍ଗ୍ ଆଟ୍ ଡେଞ୍ଜର୍’ (ଏସ୍ପିଏଡି) ଏଡ଼ାଇବା ନିମନ୍ତେ ଟ୍ରେନ୍ ଚାଳକଙ୍କୁ ସହାୟତା କରିବା ଏବଂ ଘନ କୁହୁଡ଼ି ଭଳି ପ୍ରତିକୂଳ ପାଗରେ ଟ୍ରେନ୍ ଚଳାଚଳରେ ସହାୟତା କରିବା ପାଇଁ ‘କବଚ’ ବ୍ୟବସ୍ଥା ଡିଜାଇନ୍ କରାଯାଇଥିଲା। ଆବଶ୍ୟକସ୍ଥଳେ ଆପଣାଛାଏଁ ବ୍ରେକ୍ ମାରି ଏହି ‘କବଚ’ ସମ୍ଭାବ୍ୟ ଦୁର୍ଘଟଣା ଏଡ଼ାଇ ପାରେ।
ରେଳବାଇ ଦେଇଥିବା ସଦ୍ୟତମ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୧ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରିପୋର୍ଟ କରାଯାଇଛି। ଆହତ ଯାତ୍ରୀମାନଙ୍କୁ ଗୋପାଳପୁର, ଖନ୍ତାପଡ଼ା, ବାଲେଶ୍ବର, ଭଦ୍ରକ ଓ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରେଳବାଇ ‘ସିଗ୍ନାଲିଙ୍ଗ୍ କଣ୍ଟ୍ରୋଲ୍ ରୁମ୍’ କରିଥିବା ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ କରମଣ୍ଡଳ ଏକ୍ସପ୍ରେସ୍ ଭୁଲ୍ ଟ୍ରାକ୍ରେ ଆସୁଥିଲା। ବାହାନଗନା ବଜାର ଆଗରୁ ଏହା ମୁଖ୍ୟ ଲାଇନ୍ରେ ନ ଯାଇ ‘ଲୁପ୍’ ଲାଇନ୍ରେ ଯାଉଥିଲା ।