ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ, ବିରୋଧୀଙ୍କ ପ୍ରଶ୍ନର ଏପରି ଉତ୍ତର ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାସ୍ତବ ବ୍ୟୁରୋ: ବାହାନଗାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାକୁ ନେଇ ବିପକ୍ଷ ଗୋଷ୍ଠୀ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିବା ସହ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। ଟିଏମସି, ସିପିଆଇ, ସିପିଆଇ(ଏମ୍‌ଏଲ୍‌), ଏନସିପି ଏହି ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ।

ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ପାର୍ଟି କେନ୍ଦ୍ରରେ କ୍ଷମତାସୀନା ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟିଏମ୍‌ସିର ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ବିରୋଧୀଙ୍କ ଉପରେ ନଜର ରଖିବାବୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଫ୍ଟୱେର ବ୍ୟବହାର କରୁଥିବା ବେଳେ ଟ୍ରେନ ଦୁର୍ଘଟଣା ନିରୋଧୀ ଯନ୍ତ୍ର ବ୍ୟବହାର କରିବାକୁ ଭୁଲି ଯାଉଛନ୍ତି।

ଏଥିସହ ସେ କହିଛନ୍ତି ନରେନ୍ଦ୍ର ମୋଦି ସରକାର ନିର୍ବାଚନକୁ ଆଖି ଆଗରେ ରଖି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଓ ନୂଆ ରେଳ ଲାଇନ୍‌କୁ ହାଇଲାଇଟ୍‌ କରି ପ୍ରଶଂସା ସାଉଣ୍ଟିବାକୁ ପଛାଉ ନାହାନ୍ତି। କିନ୍ତୁ ରେଳବାଇର ସୁରକ୍ଷାରେ ରହୁଥିବା ସାଂଘାତିକ ତ୍ରୁଟିକୁ ସୁଧାରିବାକୁ ଭୁଲି ଯାଉଥିବାରୁ ଶହ ଶହ ଜୀବନ ଅକାଳରେ ଚାଲିଗଲା।

ସିପିଆଇ ନେତା ବିନୟ ବିଶ୍ୱମ ବି ଏହି ରେଳ ଦୁର୍ଘଟଣା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଟ୍ୱିଟ କରିଛନ୍ତି, କେନ୍ଦ୍ର ସରକାର କେବଳ ବିଳାସପୂର୍ଣ୍ଣ ଟ୍ରେନକୁ ପ୍ରୋତ୍ସାହନ ଦେଉଥିବା ବେଳେ ସାଧାରଣ ଲୋକେ ବ୍ୟବହାର କରୁଥିବା ଟ୍ରେନ୍‌ ତଥା ଟ୍ରାକ୍‌ କଥା ଭୁଲି ଯାଉଛନ୍ତି। ଓଡ଼ିଶାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ହେଉଛି ଏହାର ଫଳାଫଳ । ତେଣୁ ରେଳ ମନ୍ତ୍ରୀ ଖୁବ୍‌ ଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି।

ପୂର୍ବରୁ ରେଳ ଦୁର୍ଘଟଣା ଘଟୁଥିବା ବେଳେ ନୈତିକତା ଦୃଷ୍ଟିରୁ ରେଳ ମନ୍ତ୍ରୀ ଇସ୍ତଫା ଦେଉଥିଲେ । ମାତ୍ର ଏବେ କେହି ପାଟି ଫିଟାଇବାକୁ ପ୍ରସ୍ତୁତ ନୁହନ୍ତି ବୋଲି କହିଛନ୍ତି ଏନସିପି ଲିଡର ଅଜିତ ପାୱାର।

ଏହି ଘଟଣାକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୋଶାଲ ମିଡିଆରେ ଖୁବ୍‌ ଟ୍ରୋଲ କରାଯାଉଛି। କିଛି ୟୁଜର୍ସ ରେଳ ମନ୍ତ୍ରୀଙ୍କ ଏକ ପୁରୁଣା ଭିଡିଓ ପୋଷ୍ଟ କରି ତାହାକୁ ଭାଇରାଲ କରୁଛନ୍ତି। ଉକ୍ତ ଭିଡିଓରେ ରେଳ ମନ୍ତ୍ରୀ ରେଳୱେର ସୁରକ୍ଷା କବଚ ବ୍ୟବହାର ଉପରେ ଗୁରୁତ୍ୱାରୋପ କରୁଛନ୍ତି।

ତେବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧୀଙ୍କ ଇସ୍ତଫା ଦାବି କରୁଥିବା ବେଳେ ଏହାର ଜବାବ ରଖିଛନ୍ତି  ।

ଆଜି ସକାଳୁ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ରେଳ ମନ୍ତ୍ରୀ ସେଠାରେ ଘଟଣାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସାମ୍ବାଦିକମାନେ ତାଙ୍କୁ ଇସ୍ତଫା ଦେବା ସମ୍ପର୍କରେ ପଚାରିବାରୁ ଏହା ଏପରି ଏକ ଘଟଣା ଘଟିଛି ଯେଉଁଥିପାଇଁ ପ୍ରଥମ ମାନବୀୟ ସମ୍ବେଦନଶୀଳତା ଆବଶ୍ୟକ । ସର୍ବପ୍ରଥମ ଫୋକସ୍‌ ରେସକ୍ୟୁ ଓ ରିଲିଫ ଉପରେ ରହିଥିବା ସେ କହିଛନ୍ତି ।

ଏହି ଘଟଣା ପଛରେ କିଛି ମାନବୀୟ ତ୍ରୁଟି ଅଛି କି ପଚରାଯିବାରୁ ପୂରା ମାମଲାର ଯାଞ୍ଚ ପାଇଁ ଏକ କମିଟି ଗଠିତ ହୋଇଥିବା ସେ କହିଛନ୍ତି। ଯାଞ୍ଚ ପରେ ହିଁ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ହଟି ପାରିବ ବୋଲି ସେ କହିଛନ୍ତି। ଏଥିସହ ରେଳ ସୁରକ୍ଷା କମିଶନ ବି ଏହି ଘଟଣାର ତଦନ୍ତ କରୁଥିବା ସେ କହିଛନ୍ତି।

ସେୟାର କରନ୍ତୁ

Next Post

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ; ଦୋଷୀଙ୍କ ବିରୋଧରେ ଦୃଢ଼ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ

Sat Jun 3 , 2023
ବାସ୍ତବ ବ୍ୟୁରୋ: ଆଜି (ଶନିବାର) ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ ଓ ବଗି ନିକଟକୁ ଯାଇ ଘଟଣାସ୍ଥଳର ସ୍ଥିତି ଦେଖିଛନ୍ତି। ପ୍ରାୟ ଅଧ ଘଣ୍ଟା ଧରି ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ସ୍ଥିତି ପରଖିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଛନ୍ତି। […]

You May Like

Pin It on Pinterest