ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ; ଦୋଷୀଙ୍କ ବିରୋଧରେ ଦୃଢ଼ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ

ବାସ୍ତବ ବ୍ୟୁରୋ: ଆଜି (ଶନିବାର) ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ ଓ ବଗି ନିକଟକୁ ଯାଇ ଘଟଣାସ୍ଥଳର ସ୍ଥିତି ଦେଖିଛନ୍ତି। ପ୍ରାୟ ଅଧ ଘଣ୍ଟା ଧରି ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ସ୍ଥିତି ପରଖିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ‌ପଶ୍ଚିମ ମେଦିନିପୁର ଜିଲ୍ଲା କଲାଇକୁଣ୍ଡା ଏୟାରଫୋର୍ସ ଷ୍ଟେସନରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ବାହାନଗାରେ ଅପରାହ୍‌ଣ ୩ଟା ୪୦ରେ ପହଞ୍ଚି ଥିଲେ। ସେଠାରୁ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବାୟୁସେନାର ଅଧିକାରୀଙ୍କ ସହିତ ଟ୍ରେନ୍‌ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ସେହିପରି ମୋଦୀଙ୍କ ଗସ୍ତ ସମୟରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ।

ଘଟଣାସ୍ଥଳ ବୁଲି ମୋଦି ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଥିଲେ । ବାଲେଶ୍ୱରର ବାହାନଗା ନିକଟରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାର ସବୁ ଦିଗରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ପାଇଁ ଯିଏ ଦୋଷୀ ହୋଇଥିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୋଷୀଙ୍କୁ ଛଡ଼ା ଯିବ ନାହିଁ ବୋଲି ସେ କହିଛନ୍ତି।

ଏହି ଦୁର୍ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ। ଯେଉଁମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାରର ଲୋକଙ୍କ ଏହି ଦୁଃଖଦ ସମୟରେ ସରକାର ସେମାନଙ୍କ ସହିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଏହା ଏକ ବିଚଳିତ କରି ଦେଲା ଭଳି ଘଟଣା। ଅନେକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣାକୁ ପ୍ରକାଶ କରିବାକୁ ଭାଷା ନାହିଁ। ଏହି ଘଟଣା ଆମକୁ ଅନେକ ଶିକ୍ଷା ଦେଇଛି। ନାଗରିକଙ୍କ ସୁରକ୍ଷାକୁ ଅଧିକ ସଶକ୍ତ କରାଯିବ। ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରି ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବୁ।

ଏହା ସହିତ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ରେଳବାଇ କର୍ମଚାରୀ ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ସେମାନଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟରେ ବଡ଼ ସହାୟକ ହୋଇଥିବା ସ୍ଥାନୀୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ଆହତମାନଙ୍କୁ ରକ୍ତ ଦେବା ପାଇଁ ଯେଉଁଭଳି ଭାବେ ସାଧାରଣ ଲୋକେ ଆଗେଇ ଆସିଥିଲେ ସେଥିପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ଏହି ଟ୍ରେନ୍‌ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇ ଥିବା ବେଳେ ଆହୁରି ୭୦୦ ଆହତଙ୍କର ଚିକିତ୍ସା ବାଲେଶ୍ବର ଓ କଟକ ସମେତ ଅନ୍ୟ ଡାକ୍ତରଖାନାରେ ଜାରି ରହିଛି। ସେମାନଙ୍କର ମଧ୍ୟରୁ ଶତାଧିକ ଯାତ୍ରୀଙ୍କର ଅବସ୍ଥା ସଂକଟାପନ୍ନ ରହିଛି।

ସେୟାର କରନ୍ତୁ

Next Post

ବାହାନାଗା ରେଳଦୁର୍ଘଟଣାରେ ମୃତ ଲକ୍ଷ୍ମୀଧରଙ୍କ ଶେଷକୃତ୍ୟ ସମ୍ପନ୍ନ....

Sat Jun 3 , 2023
ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତ କୁଆଁଡୋଳ ଗ୍ରାମର ଶଙ୍କର୍ଷଣ ସାହାଣୀଙ୍କ କନିଷ୍ଠ ପୁତ୍ର ଲକ୍ଷ୍ମୀଧର ସାହାଣୀ (୨୧)ଙ୍କ ବାଲେଶ୍ୱର ଜିଲ୍ଲା ବାହାନାଗା ରେଳଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସୁଦୁର ବାଲେଶ୍ୱରରୁ ତାଙ୍କର ଜଣେ ସାଙ୍ଗଙ୍କ ଘରକୁ ଯାଇ କଟକ ଫେରୁଥିବା ବେଳେ ଏହି ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଗ୍ରାମରେ ଲକ୍ଷ୍ମୀଧରଙ୍କ ମୃତ ଦେହ ପହଂଚିବା ପରେ ଏକ ଶୋକାକୂଳ […]

You May Like

Pin It on Pinterest