
ବାସ୍ତବ ବ୍ୟୁରୋ: ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି (ମଙ୍ଗଳବାର) ମାମଲା ରୁଜୁ କରିଛି। ରେଳ ମନ୍ତ୍ରଣାଳୟର ଅନୁରୋଧକ୍ରମେ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶ ଏବଂ ଓଡ଼ିଶା ସରକାରଙ୍କ ସହମତି ଆଧାରରେ ସିବିଆଇ ଏହି ମାମଲା ରୁଜୁ କରିଛି ।
ଏଥିପୂର୍ବରୁ ଏହି ରେଳ ଦୁର୍ଘଟଣାକୁ ନେଇ ଗତ ୩ ତାରିଖରେ ବାଲେଶ୍ୱର ଜିଆରପି ଥାନାରେ ଏକ ମାମଲା (ଜିଆରପିଏସ ମାମଲା ସଂଖ୍ୟା ୬୪ରେ) ରୁଜୁ ହୋଇଥିବା ବେଳେ ଏବେ ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଛି । ସିବିଆଇର ଏକ ତଦନ୍ତକାରୀ ଦଳ ବାଲେଶ୍ୱର ଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିବିଆଇ ଟିମ୍ ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ଲାଗି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏହି ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିଛନ୍ତି। କେଉଁ ପରିସ୍ଥିତିରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା? ଏହି ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଛି କି? ସିବିଆଇ ଅଧିକାରୀମାନେ ଏସବୁର ଯାଞ୍ଚ କରିବେ।
ଏହା ପୂର୍ବରୁ ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ କହିଛନ୍ତି ଯେ, ବାହାନଗା ରେଳ ଦୁର୍ଘଟଣାର ସିବିଆଇ ଟିମ ତାଙ୍କ ତଦନ୍ତ ଆରମ୍ଭ କରି ସାରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିବିଆଇ ତଦନ୍ତ ପାଇଁ ଅନୁମୋଦନ କରିଥିଲେ। ସେମାନେ ତାଙ୍କ ବାଟରେ ତଦନ୍ତ କରିବେ।