
ବାସ୍ତବ ବ୍ୟୁରୋ: ଆରବ ସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ‘ବିପର୍ଯ୍ୟୟ’ । ଏବେ ଏହା ଉତର ଦିଗରେ ନିଜର ଗତିପଥ ବଜାୟ ରଖିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା କେରଳ ଉପକୂଳରେ ମେଘ ସଂଗଠିତ ହେବାରେ ବାଧକ ସାଜିଛି । ଫଳରେ ମୌସୁମୀ କେରଳ ଆସିବାକୁ ଆହୁରି ୩ ଦିନ ବିଳମ୍ବ ହୋଇପାରେ ।
୯ ତାରିଖ ପୂର୍ବରୁ ମୌସୁମୀ କେରଳ ଛୁଇଁନପାରେ । ତେଣୁ ଓଡ଼ିଶାକୁ ୧୯ ତାରିଖ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍ । ବିଳମ୍ବରେ ମୌସୁମୀ ଆସୁଥିବାରୁ ନିଅଣ୍ଟିଆ ବର୍ଷା ହୋଇପାରେ । ରାଜ୍ୟରେ ଏବେ ତାତି ଜାରି ରହିଥିବା ବେଳେ ଆଗକୁ ତାତି ଆହୁରି ବଢିବା ସମ୍ଭାବନା ରହିଛି ।
ତେବେ ଆରବ ସାଗର ଉପରେ ଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପାଲଟି ପାକିସ୍ତାନରେ ଲ୍ୟାଣ୍ଡ୍ଫଲ୍ କରିବ ବୋଲି ମୁମ୍ବାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ମୁମ୍ବାଇସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ସୁନୀଲ କାମ୍ବଲେ କହିଛନ୍ତି, ବାତ୍ୟା ହେଲେ ସାଧାରଣତଃ ମୌସୁମୀ ଆଗମନ ପ୍ରଭାବିତ ହୁଏ। ଅର୍ଥାତ୍ ମୌସୁମୀ ଆସିବାରେ ଦିନେ ଦୁଇଦିନ ବିଳମ୍ବ ଘଟିପାରେ।
ଭାରତୀୟ ପାଣିପାଗ ବିଭାଗ କହିବା ଅନୁସାରେ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଏବଂ ଗୁଜରାଟର ଉପକୂଳ ଅଞ୍ଚଳରୁ ଏହି ବାତ୍ୟା ଅନେକ ଦୂରକୁ ଚାଲିଯାଇଥିଲେ ବି ଏହି ସବୁ ଅଞ୍ଚଳରେ ଖୁବ୍ ଜୋର୍ରେ ପବନ ବହିବା ସହିତ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି।



