
ସଂଜୟ ଶତପଥୀ(କଟକ): କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ “ଆମ ଗାଁ ଆମ ସାହିତ୍ୟ” କାର୍ଯ୍ୟକ୍ରମ ଓ କବି ନନ୍ଦକିଶୋର ସାମଲ ସ୍ମୃତିନ୍ଯାସ ମିଳିତ ଆନୁକୂଲ୍ୟରେ ଓଡ଼ିଶାର ବିଶିଷ୍ଟ ଶିଶୁକବି ସ୍ବର୍ଗତ ନନ୍ଦ କିଶୋର ସାମଲଙ୍କ ରାଜ୍ୟସ୍ତରୀୟ ୯୯ ତମ ଜୟନ୍ତୀ ସଭାମୂଖ୍ଯ ଡଃ ସଂଗ୍ରାମ ଜେନା, ଉପ-ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଙ୍କ ସଭାପତିତ୍ବରେ ଏବଂ ବହୁ ବିଶିଷ୍ଟ କବି, ସାହିତ୍ୟକ ଓ ଲେଖକମାନଙ୍କ ଉପସ୍ଥିତି ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ ମହେଶ୍ୱର ମହାନ୍ତି ଯୋଗଦେଇଥିଲେ।ଅନ୍ୟ ଆମନ୍ତ୍ରିତ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମଧୂସୁଦନ ଦାସ, ଅତିରିକ୍ତ ଶାସନ ସଚିବ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ(ଓଡ଼ିଶା) ମୂଖ୍ୟ ବକ୍ତା ଡଃ ବିଜୟାନନ୍ଦ ସିଂହ, ପ୍ରଫେସର, କିସ୍ ବିଶ୍ୱବିଦ୍ୟାଳୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ ସାହିତ୍ୟିକା ଓ ନାଟ୍ୟକାର ଡଃ ବୈଜୟନ୍ତୀ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ନନ୍ଦକିଶୋର ସାମଲ ସ୍ମୃତିନ୍ଯାସ ର ସାଧାରଣ ସମ୍ପାଦକ ଶ୍ରୀ ସୁନାମଣି ରାଉତ ଅତିଥିମାନଙ୍କୁ ମଞ୍ଚ ନିମନ୍ତ୍ରଣ ସହ ପରିଚୟ ପ୍ରଦାନ କରିଥିଲେ। ସମସ୍ତ ବିଶିଷ୍ଟ ଅତିଥିମାନେ ଏହି ବିଶିଷ୍ଟ ଶିଶୁ କବିଙ୍କର ରଚିତ ଅମ୍ଲାନ ଶିକ୍ଷଣୀୟ ଶିଶୁ ଲେଖା ବିଷୟରେ ବକ୍ତବ୍ୟ ପ୍ରଦାନ କରିବା ସହ ପ୍ରାଥମିକ ଶିକ୍ଷା ପୁସ୍ତକରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବାଦ୍ ଦିଆଯାଇଥିବା ଶିଶୁ କବିତା କୁ ପୁନର୍ବାର ସ୍ଥାନ ଦେବାକୁ ଅନୁରୋଧ କରିଥିଲେ।
ଆସନ୍ତା ବର୍ଷ ସ୍ବର୍ଗତ କବି ନନ୍ଦକିଶୋର ସାମଲଙ୍କ ଶତବାର୍ଷିକୀ କାର୍ଯ୍ୟକ୍ରମ ମହାସମାରୋହରେ ସମଗ୍ର ରାଜ୍ୟରେ ପାଳିତ ହେବାର ଯୋଜନା ରହିଛି ବୋଲି ଆୟୋଜକମାନେ ମତପୋଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଲେଖୂକା ଅପର୍ଣ୍ଣା ମିଶ୍ରଙ୍କ ଦୁଇଟି ପୁସ୍ତକ “ସାଆନ୍ତେ ହୋ ଓ ଅର୍ପଣ” ର ଶୁଭ ଉନ୍ମୋଚନ ହୋଇଥିବା ବେଳେ ଶିଶୁ ସାହିତ୍ୟିକ ଶ୍ରୀ ମାନସ ରଞ୍ଜନ ସାମଲ ଓ ଆଦର୍ଶ ଶିକ୍ଷକ ଶ୍ରୀ ଭାଗବତ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅବଶେଷରେ ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା, ଶ୍ରୀ ପ୍ରବୋଧ କୁମାର ରାଉତ ସ୍ବର୍ଗତ ଶିଶୁକବିଙ୍କ ଉଦ୍ଦେଶ୍ୟରେ ନିଜର ସମ୍ମାନସୂଚକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।