ଘନଘନ ପାୱାର କଟ୍ ପ୍ରତିବାଦରେ ଆସନ୍ତାକାଲିଠୁ ବିଜେପିର ଆନ୍ଦୋଳନ

ବାସ୍ତବ ବ୍ୟୁରୋ: ଉଭୟ ସହରାଂଚଳରେ ଘନଘନ ପାୱାର କଟ୍ ଓ ଗ୍ରାମାଂଚଳରେ ଘଣ୍ଟାଘଣ୍ଟା ଧରି ପାୱାର କଟ୍ ପ୍ରତିବାଦରେ ଆସନ୍ତାକାଲିଠୁ ୨ଦିନ ଧରି ବିଜେପି ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରିବାକୁ ଘୋଷଣା କରିଛି ।

ଆଜି ଅପରାହ୍ନରେ ବିଜେପି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଜାରି ରହିଥିବା ଅଘୋଷିତ ପାୱାର କଟକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ସାଧାରଣ ଲୋକେ କିଭଳି ଯନ୍ତ୍ରଣା ମଧ୍ୟରେ ରହିଛନ୍ତି ତାହା ଉଲ୍ଲେଖ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ସେ କହିଛନ୍ତି ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବାବେଳେ ସାମାନ୍ୟ ବର୍ଷା, ପବନ, ଧୂଳିଝଡ଼ରେ ଯେଉଁଭଳି ଭାବରେ ମନଇଚ୍ଛା ବିଦ୍ୟୁତ୍ କାଟ କରାଯାଉଛି, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ୪୫ ଡିଗ୍ରୀ ଖରାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ବିଜୁଳି କାଟ୍ ପ୍ରତିବାଦରେ ସାଧାରଣ ଉପଭୋକ୍ତା, ବୁଦ୍ଧିଜୀବି, ଗଣମାଧ୍ୟମ, ସ୍ୱେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳଗୁଡିକ ସ୍ୱର ଉତ୍ତୋଳନ କଲେ ସୁଦ୍ଧା ଉଭୟ ଟାଟା ପାୱାର ଏବଂ ରାଜ୍ୟ ସରକାର ଜବାବ୍ ଦେଉନାହାନ୍ତି । ଲାଗୁଛି ସତେ ଯେପରି, ଏ ସମସ୍ତ ବ୍ୟବସ୍ଥାର ମାଲିକ ରାଜ୍ୟ ସରକାର ନୁହେଁ ବରଂ ଟାଟା ପାୱାର । କେବଳ ବିଜୁଳି ବିତରଣ ପାଇଁ ଅନୁବନ୍ଧିତ ହୋଇଥିବା ଗୋଟିଏ ଘରୋଇ କଂପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅହେତୁକ ଅନୁକଂପା ସବୁଠୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । ଶକ୍ତି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦରେ ବିଜେପି ତରଫରୁ ଆସନ୍ତା କାଲି ୧୪ ଓ ୧୫ ତାରିଖରେ ସାରା ରାଜ୍ୟରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରାଯିବ ।

ଏପଟେ ପାୱାର କଟ୍ ଯୋଗୁ ହନ୍ତସନ୍ତ ହେଉଥିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିବା ପରିବର୍ତ୍ତେ ବିଜେଡି ଏବେ ପରୋକ୍ଷରେ ଟାଟା ପାୱାରକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ୩ମାସ ପୁରୁଣା ପ୍ରସଙ୍ଗକୁ ଧରି ଅଚାନକ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବ । ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ଗଣଧାରଣା କରିବା ପାଇଁ ଦଳ ଘୋଷଣା କରିବା ସହ କେନ୍ଦ୍ର ସରକାର ଏଲପିଜି ଦର ନିୟନ୍ତ୍ରଣ ନକଲେ ଆରଡିସି ଓ ଜିଲ୍ଲାପାଳ କାର୍ଯ୍ୟାଳୟ ତଥା ବ୍ଲକରୁ ଗାଁ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି । ବିଜେପିର ଆନ୍ଦୋଳନ ଓ ବିକ୍ଷୋଭ ଉପରୁ ନଜର ହଟାଇବା ତଥା ପାୱାର କଟ୍ ପ୍ରତିବାଦରେ ବିଜେପିର ଆନ୍ଦୋଳନ ଡାକରାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ବିଜେଡି ଆଜି ଆଗକୁ ଆସିଛି ।

ବିଜେଡି ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ଏଲପିଜି ଦର ସିଲିଣ୍ଡିର ପିଛା ଗତ ୯ବର୍ଷରେ ୩ଗୁଣ ବୃଦ୍ଧି ପାଇ ୧୧୩୦ଟଙ୍କାରେ ପହଂଚିଛି । ଯାହାକି ସିଧାସଳଖ ହାଣ୍ଡିଶାଳ ଉପରେ ମାଡ଼ । ଉଜ୍ୱଳା ଯୋଜନା ଫେଲ୍ ମାରିଛି । ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ସେ କହିଛନ୍ତି । ଏଥିରେ ଦଳର ସବୁ ଛାମୁଆ ସଂଗଠନ ଓ କର୍ମୀମାନେ ସାମିଲ ହେବେ । ଯଦି କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ନକରିବେ ତା’ହେଲେ ବିଜେଡି ଆଗାମୀ ଦିନରେ ଆରଡିସି ଓ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ୍ ଓ ଗାଁ ସ୍ତରରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ସେୟାର କରନ୍ତୁ

Next Post

ବିଦ୍ୟୁତ ବିଭ୍ରାଟ : ଟାଟା ପାୱାରକୁ ଦୋଷ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ....

Tue Jun 13 , 2023
ପ୍ରମୋଦ ନାୟକ(ଭୁବନେଶ୍ବର): ବିଜେଡି ସାଂସଦ ଅମର ପଟ୍ଟନାୟକ, ବିଦ୍ୟୁତ୍ ବିଭ୍ରାଟ ନେଇ ଟାଟା ପାୱାର ଉପରେ ବର୍ଷିଲେ । ଲୋଡ଼ ବାଲାନ୍ସିଂ ଠିକ ସେ ହୋଇପାରୁ ନଥିବାରୁ ଲାଇନ କଟୁଥିବା,ବିଦ୍ୟୁତ ବିତରଣରେ ଗ୍ୟାପ୍ ବା ସଟଫଲ ରହୁଥିବାରୁ ସେଇଟାକୁ ଟାଟା ପାୱାର ଟାଇମ ଟୁ ଟାଇମ ରିଭ୍ୟୁ କରୁନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।ସେହିପରି ସମୟ ଅନୁସାରେ ଅପଗ୍ରେଡ଼ ବି କରାଯାଉନି । ସେଇଟା କରିବାର ଏବେ ସମୟ […]

You May Like

Pin It on Pinterest