ବାସ୍ତବ ବ୍ୟୁରୋ: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ପାରିତ ହୋଇଯାଇଛି।
ତେବେ ଆସନ୍ତୁ ଜାଣିବା କେଉଁ କେଉଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି
- ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ଆସନ୍ତା ୫ବର୍ଷରେ ମୋଟ ୩୩୫୪.୪୦କୋଟି ଟଙ୍କା ଖର୍ଚ୍ଚ କରାଯିବ । ରାଜ୍ୟର ସମସ୍ତ କିଶୋରୀ ବାଳିକା(୧୫ରୁ ୧୯ବର୍ଷ), ଗର୍ଭବତୀ ମହିଳା ଓ ପ୍ରସୂତି ମା’ଙ୍କୁ ପୁଷ୍ଟିଗତ ଓ ସ୍ୱାସ୍ଥ୍ୟଗତ ଉନ୍ନତି ପାଇଁ ଏହି ନୂଆ ଯୋଜନା କାର୍ଯ୍ୟ କରିବ । କିଶୋରୀ ମେଳା ଆୟୋଜନ କରାଯିବା ସହ କିଶୋରୀ ବାଳିକାଙ୍କ ରକ୍ତହୀନତା ସ୍କ୍ରିନିଂ ଓ ଅନ୍ୟାନ୍ୟ କାର୍ଯ୍ୟ କରାଯିବ । ସେହିପରି ଗର୍ଭବତୀ ମହିଳା ଓ ପ୍ରସୂତି ମା’ଙ୍କୁ ଅତିରିକ୍ତ ଟେକ୍ ହୋମ୍ ରାସନ ଆକାରରେ ଅଣ୍ଡା, ମିଲେଟ୍ ଓ ପୁଷ୍ଟିକର ଖାଦ୍ୟ ପଦାର୍ଥ ଇତ୍ୟାଦି ଯୋଗାଇ ଦିଆଯିବ । ୬ବର୍ଷ ବୟସରୁ କମ୍ ଶିଶୁମାନଙ୍କୁ ଅଣ୍ଡା ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଦିଆଯିବ ।
- ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ଓ ଅବଢ଼ା ଯୋଜନାରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
- ଅନାଥାଶ୍ରମ, ବ୍ଲାଇଣ୍ଡ ସ୍କୁଲ ଓ ଗୋଶାଳା ଆଦି ଦାତବ୍ୟ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଭଡ଼ା ସଂକ୍ରାନ୍ତ ନୀତିକୁ କ୍ୟାବିନେଟ୍ ମୋହର ମାରିଛନ୍ତି ।
- ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟ ଓ ଅଧ୍ୟକ୍ଷଙ୍କ ଅବସର ବୟସସୀମାକୁ ୬୨ରୁ ୬୫ବର୍ଷକୁ ବୃଦ୍ଧି ହେବ । ଏନେଇ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ରୁଲସ୍-୧୯୯୫ରେ ସଂଶୋଧନକୁ କ୍ୟାବିନେଟ୍ ମୋହର ଦେଇଛନ୍ତି । ଏହାଦ୍ୱାରା କମିଶନ ସଦସ୍ୟ ଓ ଅଧ୍ୟକ୍ଷଙ୍କ ଅବସର ବୟସ ୬୫ବର୍ଷକୁ ବୃଦ୍ଧି, ବେତନ ବୃଦ୍ଧି, ଅତିରିକ୍ତ ପେନସନ ନିବୃତ୍ତ କରିବା, ପୂର୍ବବର୍ତ୍ତୀ ସେବା ଓ ଆୟୋଗରେ ସେବା ବିଚାରକୁ ନେଇ ସର୍ବାଧିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚ୍ୟୁଇଟି, ସର୍ବଭାରତୀୟ ସେବା ଅଫିସରଙ୍କ ଭଳି ଏଲଟିସି ବ୍ୟବସ୍ଥା ଆଦି ସୁବିଧା ମିିଳିବ ।
- ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣକୁ ଅନୁମୋଦନ ମିଳିଛି। ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀକରଣ, ଅପହଞ୍ଚ ଓ ଅସଂଯୋଜିତ ଗ୍ରାମାଞ୍ଚଳକୁ ମୁଖ୍ୟ ସଡ଼କ ସହ ଯୋଡ଼ିବା ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନାରେ ୩୬୧ କିମି ରାସ୍ତା ହେବ। ମୋଟ ୯୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
- ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ‘ଅବଢ଼ା’ ଯୋଜନା ଲାଗୁ ହୋଇଛି। ଏହି ଯୋଜନାର ଅଟକଳ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ମିଳିଛି। ୩୨୦୮ କୋଟିର ବ୍ୟୟବରାଦକୁ ୪୨୨୪.୨୨ କୋଟିକୁ ବୃଦ୍ଧି ନିଷ୍ପତ୍ତି ହୋଇଛି।
- ଗଂଜାମ ଶୀତଳାପଲ୍ଲୀରେ ହସ୍ପିଟାଲ ପାଇଁ ଟାଟାକୁ ୪୩ ଏକର ଜମି ଦିଆଯିବ। ନାମମାତ୍ର ଅର୍ଥରେ ଟାଟା ଷ୍ଟିଲକୁ ମିଳିବ ଜମି।
- ସେହିପରି ରାୟଗଡ଼ା ମଝିଘରିଆଣି ମନ୍ଦିର ବିକାଶ ପାଇଁ ୬ ଏକର ଜମି ଦିଆଯିବ।
- ସଉରା ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦର ସାମିଲ ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏନେଇ କେନ୍ଦ୍ରକୁ ପ୍ରସ୍ତାବ ପଠାଯିବ। ଅନୁସୂଚିତ ଜାତ ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ପ୍ରସ୍ତାବ ପାରିତ କରାଯାଇଛି। ସେହିପରି ଭାରତୀୟ ସମ୍ବିଧାନରେ ଅନ୍ତର୍ଭୁକ୍ତ ହେଲେ ସଉରା ଭାଷା ଓ ସଂସ୍କୃତିର ବିକାଶ ହେବ। ସେହିପରି ସଉରା ଭାଷାର ସଂରକ୍ଷଣ ଓ ପ୍ରଚାରପ୍ରସାର ହୋଇପାରିବ। ବିଭିନ୍ନ ପ୍ରସଙ୍ଗରେ ଲେଖା ପ୍ରକାଶନ ହୋଇପାରିବ। ଏହି ନିଷ୍ପତ୍ତିରେ ୫ ଲକ୍ଷ ସଉରାଭାଷାଭାଷୀ ଲୋକ ଉପକୃତ ହେବେ।
ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।



