ବାସ୍ତବ ବ୍ୟୁରୋ: ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇଛି। କେବଳ ଭାରତୀୟ ପାଣିପାଗ ବିଭାଗ ନୁହେଁ, ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ବି ଏହି ଲଘୁଚାପ ସଂପର୍କରେ ସୂଚନା ଦେଇଛି ।
ଏଥିରେ ଲେଖାଯାଇଛି, ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ୭.୬ କିଲୋମିଟର ଉଚ୍ଚତା ଯାଏ ବାୟୁମଣ୍ଡଳରେ ସକ୍ରିୟ ଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଏହି ଲଘୁଚାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ୨୫ ତାରିଖ ବେଳକୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ବିଭାଗ ପକ୍ଷରୁ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରପଡ଼ା,କଟକ, ଢେଙ୍କାନାଳ ଆଦି ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ପରବର୍ତ୍ତୀ ୨ ଦିନରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୭ ଓ ୨୮ ତାରିଖ ବେଳକୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ହଳଦିଆ) ଓ୍ବାର୍ଣ୍ଣି ଜାରି କରାଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।
ଗତ ୨୪ ଘଣ୍ଟାରେ ନୂଆପଡ଼ାର କୋମନାରେ ସର୍ବାଧିକ ୧୩୨ ମିମି ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ ଲାଠିକଟାରେ ୭୬.୪, କେନ୍ଦୁଝରର ହରିଚନ୍ଦନପୁରରେ ୭୬, ସୁନ୍ଦରଗଡ଼ର ବଣାଇଗଡ଼ରେ ୭୫, ମୟୂରଭଞ୍ଜର ସୁଲିଆପଡ଼ାରେ ୭୨, ଅନୁଗୋଳର ପାଳଲହଡ଼ାରେ ୭୧, ଢେଙ୍କାନାଳର କଙ୍କଡ଼ାହାଡ଼ରେ ୬୭.୬, ମାଲକାନଗିରିର ମାଥିଲିରେ ୬୫, ଦେବଗଡ଼ର ବାରକୋଟରେ ୬୩.୪ ଓ ଅନୁଗୋଳର ରେଙ୍ଗାଳିରେ ୬୩ ମିମି ବର୍ଷା ରେକର୍ଡ କରାଯାଇଛି।