
ବାସ୍ତବ ବ୍ୟୁରୋ: ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି ।
ଏହାର ପ୍ରଭାବରେ ରବିବାର ଅର୍ଥାତ ଆଜିଠାରୁ ଓଡ଼ିଶାରେ ବର୍ଷା ବଢ଼ିବ। ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଜି ସକାଳ ସୁଦ୍ଧା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କଟକରେ ପ୍ରବଳରୁ ଅତିପ୍ରବଳ ଅର୍ଥାତ୍ ୭୦ ମିମିରୁ ୨୦୦ ମିମି ଏବଂ ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ।
ଗତକାଲି ଜାରି କରାଯାଇଥିବା ବୁଲେଟିନ ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରୁ ୨୬ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ସମ୍ବଲପୁର, ଅନୁଗୋଳ, ବୌଦ୍ଧ, ସୋନପୁର, ବରଗଡ଼, ଦେବଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ସମ୍ବଲପୁର, ସୋନପୁର ଓ ବୌଦ୍ଧର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାଗୁଡ଼ିକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପରବର୍ତ୍ତୀ ୨୪ ଘଣ୍ଟା ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପାଇଁ ବିପଦ ଆଣିପାରେ। ରବିବାର ସକାଳଠାରୁ ସୋମବାର ସକାଳ ସୁଦ୍ଧା ଏହି ୩ଟି ଜିଲ୍ଲାରେ ୨୦୦ ମିମିରୁ ଅଧିକ ପରିମାଣର ବର୍ଷା ହେବ। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ଼, ଦେବଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ଅରେଞ୍ଜ ୱାର୍ଣ୍ଣିଂ ଏବଂ ବାକି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାକୁ ଥିବା ୟେଲୋୱାର୍ଣ୍ଣିଂ ଦିଆଯାଇଛି। ଜୁନ୍ ୨୬ ତାରିଖ ସକାଳ ୮ଟାରୁ ୨୭ ତାରିଖ ସକାଳ ମଧ୍ୟରେ ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ରେ ୨୦୦ ମିମିରୁ ଅଧିକ ପରିମାଣର ବର୍ଷା ହେବ।
ଅତିପ୍ରବଳ ବର୍ଷା ହେବାକୁ ଥିବା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି। ସେହିଭଳି ଅଧିକ ଦୂର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ। ବିପଦ ସଙ୍କୁଳ ଅବସ୍ଥାରେ ଥିବା ମାଟି ଘର ଭାଙ୍ଗି ଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି।