
ବାସ୍ତବ ବ୍ୟୁରୋ: ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଉତର ଓଡିଶା-ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗ ଉପତ୍ୟକାରେ ଲଘୁଚାପ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା ।
ଏ ପରିସ୍ଥିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ପ୍ରଭୃତି ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ସେମି)ର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକୁ କମଳା ଚେତାବନୀ ବା ଅରେଞ୍ଜଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ଏହି ସମୟ ମଧ୍ୟରେ ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବାଙ୍ଗପୁର, କୋରାପୁଟ ଓ ମାଲକାନଗିରି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି)ର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।
ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ୧୮ରେ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ । ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ପରେ ସତର୍କ କରିଛନ୍ତି ଏସଆରସି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି । ତେଣୁ କ୍ଷେତ୍ର ସରକାରୀ କର୍ମଚାରୀଙ୍କୁ ହେଡକାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରର ତଳିଆ ଅଂଚଳରେ ଜଳବନ୍ଦୀ ଅବସ୍ଥା ଉପୁଜିପାରେ ।
ଗତ ୨୪ ଘଣ୍ଟା ରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ସହ ୨୭ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୧୩ ଦଶମିକ ୫ ମିଲିମିଟର ତୁଳନାରେ ୧୦୩ ପ୍ରତିଶତ ଅଧିକ ।
ସେହିପରି ଗତ ୨୪ ଘଣ୍ଟାରେ ଝାରସୁଗୁଡା କିରମରାରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ୧୧ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ୧୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଜି ସୁନ୍ଦରଗଡ଼, ଝାରରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, କେରାପୁଟ ଓ ନବରଙ୍ଗପୁର ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର ଓ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।



