
ବାସ୍ତବ ବ୍ୟୁରୋ: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ରମାଦେବୀ ଜୁନିୟର କଲେଜକୁ ଭୁବନେଶ୍ୱରର ୟୁନିଟ ୯ ବାଳିକା ସ୍କୁଲକୁ ଉଠିଯିବ ବୋଲି ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗ ସ୍ଥାନାନ୍ତର ହେବ । ୟୁନିଟ ୯ ବାଳିକା ସ୍କୁଲରେ ଲାବୋରୋଟୋରୀ ନଥିବାରୁ ଥିବାରୁ ବିଜ୍ଞାନ ବିଭାଗକୁ ଏବେ ସେଠାକୁ ସ୍ଥାନାନ୍ତର କରାଯିବ ନାହିଁ। ସେମାନଙ୍କ ପାଠପଢ଼ା ଏବେ ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହେବ।
ଅନ୍ୟପଟେ ୟୁନିଟ୍ ୯ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ଏନେଇ ସୁପାରିସ କରାଯାଇଛି। ରମା ଦେବୀ ବିଶ୍ଵବିଦ୍ୟାଳୟର କୁଳପତି ଶୀଘ୍ର ଜୁନିଅର କଲେଜ୍ କୁ ପୃଥକ୍ କରିବାକୁ ଚାପ ପକାଉଥିବା କୁହାଯାଉଛି।
ଏଣେ ୟୁନିଟ୍-୯ ବାଳିକା ହାଇସ୍କୁଲର ମିଶ୍ରଣ ପ୍ରତିବାଦରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରୀ ଓ ଅଭିଭାବକ। ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟକୁ ମିଶ୍ରଣ ନ କରିବା ପାଇଁ ସେମାନେ ଅଡ଼ି ବସିଛନ୍ତି। ୧୯୬୭ ମସିହାରେ ପ୍ରତିଷ୍ଠିତ ଏଇ ସ୍କୁଲରେ ପ୍ରାୟ ୫୦୦ ଛାତ୍ରୀ ପଢୁଥିବା ବେଳେ କାହିଁକି ସ୍କୁଲକୁ ମିଶ୍ରଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ।
“ଆମ ସ୍କୁଲ ଏଠାରୁ ଉଠିବ ନାହିଁ। ଆମ ସ୍କୁଲ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ।” ଏପରି ଦାବି କରି ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟ ଛାତ୍ରୀ ଓ ସେମାନଙ୍କ ଅଭିଭାବକ। ଆନ୍ଦୋଳନରେ ବସିବାର କିଛି ସମୟ ପରେ କିଛି ଛାତ୍ରୀ ଚେତାଶୂନ ହୋଇଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଜଣେ ଛାତ୍ରୀ କହିଛନ୍ତି, “ଆମ ସ୍କୁଲରେ ଭଲ ପାଠ ପଢ଼ାଯାଉଛି। ଏଠାରେ ଆମକୁ ସମସ୍ତ ସୁବିଧା ସୁଯୋଗ ମିଳୁଛି। ଆମ ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରାଗଲେ ଆମେ ପାଉଥିବା ସୁବିଧା ସୁଯୋଗ ଆମକୁ ମିଳିବ ନାହିଁ। ସରକାର ଆମ ଦାବି ମାନି ନିଅନ୍ତୁ। ସରକାର ଆମ ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରନ୍ତୁ ନାହିଁ।”
ବିଇଓ ପ୍ରଜ୍ଞା ପରମିତା ଜେନା କହିଛନ୍ତି, ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଛନ୍ତି। ସେ କହିଛନ୍ତି, “ଏ ବିଷୟରେ ସରକାରଙ୍କୁ ଅବଗତ କରାଇବି। ମୋ ହାତରେ କିଛି ନାହିଁ।”