
ବାସ୍ତବ ବ୍ୟୁରୋ: ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । କଟକର ମୁଣ୍ଡଳିଠାରେ ବଢ଼ୁଛି ଜଳସ୍ତର, ପ୍ରବାହିତ ହେଉଛି ୯ଲକ୍ଷ ୨୦ ହଜାର କ୍ୟୁସେକ୍ ବନ୍ୟା ଜଳ । ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବଡ଼ମୂଳରେ ୮ଲକ୍ଷ ୬୫ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦରେ ମଧ୍ୟ ଜଳ ପ୍ରବେଶ ମାତ୍ରା ବଢ଼ିଛି । ୨ଲକ୍ଷ ୬ହଜାର ୪୭୮କ୍ୟୁସେକ ଜଳ ପ୍ରବେଶ କରୁଛି ।
ତାଙ୍କ ସୂଚନା ଅନୁଯାୟୀ, ଏବେ ମହାନଦୀର ମୁଣ୍ଡଳିଠାରେ ସର୍ବାଧିକ ଜଳପ୍ରବାହ ଚାଲିଛି। ମୁଣ୍ଡଳିରେ ଏହି ପିକ୍ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ, ତା ପରେ ଖସିବ। ମୁଣ୍ଡଳିରେ ଏବେର ପିକ୍ ଫ୍ଲୋ କାଲି ଅପରାହ୍ନରେ ତଳମୁଣ୍ଡ ଛୁଇଁବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ କାଲି ଅପରାହ୍ନରେ ହେବ ପିକ୍ ଫ୍ଲୋ। କାଲି ସକାଳେ ମୁଣ୍ଡଳିରେ ବନ୍ୟାଜଳ ପ୍ରବାହ ହ୍ରାସ ପାଇବ।
ସେ ଆହୁରି କହୁଛନ୍ତି, ବୈତରଣୀ ଏବଂ ବ୍ରାହ୍ମଣୀ ଜଳସ୍ତର ଖସୁଛି। ଆଖୁଆପଦାଠାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ବି ଖସୁଛି। ଆଜି ରାତି ୮ଟା ସୁଦ୍ଧା ସେଠାରେ ବିପଦସଂକେତ ତଳକୁ ଖସିଯିବ। ଜେନାପୁରଠାରେ ବ୍ରାହ୍ମଣୀ ବିପଦସଂକେତ ଉପରେ ଥିଲେ ବି ଖସୁଛି। ଖରସ୍ରୋତା ନଦୀ ବନ୍ଧରେ ପଡ଼ିଥିବା ଘଳିଆ ମରାମତି ହୋଇଯାଇଛି। କେଉଁଠି କିଛି ଘଟିଲେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି।
ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ୧୨ଟି ଜିଲ୍ଲାର ୮୨ଟି ବ୍ଲକର ୨୬୪ ପଂଚାୟତର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ୪ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ୧୦୩ଟି ଜାଗାରେ ରନ୍ଧା ଖାଦ୍ୟ ଦିଆଯାଉଛି । । ସ୍ଥିତିର ସୁଧାର ଆସିଲେ କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି । ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ମୁଣ୍ଡଳୀରେ ବନ୍ୟା ପାଣି ବଢ଼ୁଥିବା ବେଳେ ସଜାଗ ଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ହେଉଥିବାରୁ ମହାନଦୀ ଫୁଲୁଛି । ତେଣୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ । ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।