
ବାସ୍ତବ ବ୍ୟୁରୋ: ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ମନରୁ ଦ୍ୱନ୍ଦ୍ୱ ଦୂର କରି ଲଢେଇ ପାଇଁ ପ୍ରସ୍ତୁତ ରହିବା ସହିତ, ଯେଉଁ ଦାୟିତ୍ୱ ଦିଆଯାଇଛି, ସେ ଅନୁଯାୟୀ କାମ କରନ୍ତୁ ବୋଲି କହିଛନ୍ତି ଅମିତ ଶାହା ।
ସୂଚନାନୁଯାୟୀ, ଦୁଇଦିନିଆ ଗସ୍ତରେ ଆସି ନୂଆଦିଲ୍ଲୀ ଫେରିବା ପୂର୍ବରୁ ପ୍ରାୟ ୪ଘଣ୍ଟା ଧରି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଦଳର କୋର ଟିମ୍, ରାଜ୍ୟ ପଦାଧିକାରୀ, ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ସହ ଭିନ୍ନ ଭିନ୍ନ ବୈଠକ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ଜିତାଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ।
ରାଜ୍ୟରେ ବୁଥ୍ ଓ ପଂଚାୟତସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ପଂଚାୟତରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଜନ ଆନ୍ଦୋଳନ କରି ଲୋକଙ୍କ ବିଶ୍ୱାସଭାଜନ ହେବାକୁ ରାଜ୍ୟ ବିଜେପି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ଅମିତ୍ ଶାହ । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଂଚାଇବା ଓ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଅମିତ ଶାହା ରାଜ୍ୟ ବିଜେପି କାର୍ୟ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।ସେ କହିଛନ୍ତି ଯେ, ମୋଦି ସରକାର ୯ ବର୍ଷରେ ଓଡିଶାକୁ ୧୮ ଲକ୍ଷ ୮୩ ହଜାର କୋଟି ଦେଇଛନ୍ତି । କିନ୍ତୁ ୟୁପିଏ ସରକାର ଅମଳରେ ଓଡିଶା ମାତ୍ର ୨ ଲକ୍ଷ ୯୩ ହଜାର କୋଟି ଟଙ୍କା ପାଇଥିଲା । କେନ୍ଦ୍ର ସରକାର ଓଡ଼ିଶାକୁ ଭଲପାଇବା ଏବଂ ଗୁରୁତ୍ୱ ଦେବାର ଏ ହେଉଛି ଉଦାହରଣ । ଏଥିପାଇଁ ବୈଠକରେ ମୋଦିଙ୍କୁ ଧନ୍ୟବାଦ ଦିଆଯାଇଛି । ତା ସହିତ ବ୍ଲକ, ଜିଲ୍ଲା, ରାଜ୍ୟ ସ୍ତରରେ ବୁଥସ୍ତରୀୟ ସଂଗଠନକୁ ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି ଶାହା । ଓଡ଼ିଶାରେ ଦୁର୍ନୀତି ଭ୍ରଷ୍ଟାଚାରର ସରକାର ବିରୁଦ୍ଧରେ ଲଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି । ସାଢେ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ବ୍ଲକ ସ୍ତରରେ ଏକ ବିରାଟ ଆନ୍ଦୋଳନ କରିବ ଦଳ । ଅବହେଳିତ ଅତ୍ୟାଚାର ଓ ତଳ ସ୍ତରରେ ଥିବା ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଯୋଜନା ପହଞ୍ଚାଇବା ପାଇଁ ଶାହା ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀ ଶାହ ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ୱରରେ ପହଂଚି ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ୨ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ସମେତ ରାଜ୍ୟର ନକ୍ସଲ ପରିସ୍ଥିତି ଓ ବିପର୍ଯ୍ୟୟ ପରିଚାଳନାର ସମୀକ୍ଷା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଶ୍ରୀ ଶାହ ଲୋକସେବା ଭବନର କନଭେନସନ ହଲରେ ସକାଳ ୧୧ଟା ୨୬ରୁ ପ୍ରାୟ ୧ଟା ୧୦ମିନିଟ୍ ପର୍ଯ୍ୟନ୍ତ ରହିଥିଲେ । ସେଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ଦଳୀୟ ନେତାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବିଭିନ୍ନ ବୈଠକ କରି ସନ୍ଧ୍ୟା ପ୍ରାୟ ୫ଟାରେ ଦିଲ୍ଲୀ ଫେରି ଯାଇଛନ୍ତି ।



