
ନବରଙ୍ଗପୁର(ପ୍ରତାପ ଦାଶ):ତା ୯/୮-ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସଂଗ୍ରାମୀଙ୍କ ବୀରତ୍ୱ ଓ ଶହୀଦ ବୀର ଙ୍କ ଆତ୍ମ ବଳିଦାନର ଗାଥା ଅବିସ୍ମରଣୀୟ ଓ ଚିର ବନ୍ଦନୀୟ l ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପଛପଟରେ ଥିବା ବ୍ରିଟିଶ ସରକାର ଅମଳର ପୁରାତନ କାରାଗାର ସଂଗ୍ରାମୀଙ୍କ ସ୍ମୁତି ଓ ବିସ୍ମୃତିର ମହାନ ପୀଠ ସ୍ଥଳ l
ହେଲେ ସ୍ୱାଧୀନତା ପ୍ରାପ୍ତିର ସାତ ଦଶନ୍ଧି ଅତିବାହିତ ହୋଇଯାଇ ଥିଲେ ମଧ୍ୟ ଏହି କାରାଗାର ପବିତ୍ର ପୀଠର ରକ୍ଷଣବେକ୍ଷଣ ହୋଇପାରିନାହଁ l ଉପଯୁକ୍ତ ଯତ୍ନ ଅଭାବରୁ କାରାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିବାସହ ମାଟିରେ ମିଶିବା ଅପେକ୍ଷାରେ l ୧୯୪୨ ଭାରତ ଛାଡ଼ ଆନ୍ଦୋଳନ ସମୟରେ ପାପଡାହାଣ୍ଡି ଓ ମାଥିଲି ଗୁଳିକାଣ୍ଡ ସମୟରେ ଏହି କାରାଗାରରେ ବନ୍ଦୀ ଜୀଵନ ବିତାଉଥିବା ୮ ଜଣ ସଂଗ୍ରାମୀ ତଥା ଏ ମାଟିର ମହକ ବୀର ପୁତ୍ର ଅଗଷ୍ଟ ୯ ତାରିଖରେ ବିରଗତି ପ୍ରାପ୍ତି ହୋଇଥିଲେ l ଏହି ଦିବସକୁ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଥିବା ବେଳେ ବିଶ୍ୱ ଆଦିବାସୀ ଦିବସ ଭାବରେ ପାଳିତ ହେଉଛି l ଏହି ମହାନ ଦିବସ ପାଳନ ଅବସରରେ ବୁଧବାର ଶହୀଦ ଓ ସଂଗ୍ରାମୀଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏକ ବିରାଟ ଶୋଭାଯାତ୍ରା ପୁରୁଣା କାରାଗାର ନିକଟରେ ପହଞ୍ଚିଥିଲା l

କାରାଗାର ପରିସରରେ ଶହୀଦ ଜ୍ୟୋତି ପ୍ରଜ୍ଜ୍ୱଳନ କରାଯାଇଛି ଦିବଂଗତ ବୀରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ ସହ ସ୍ମୃତିଚାରଣ କରାଯାଇଥିଲା l ଏହି ପବିତ୍ର ପୀଠସ୍ଥଳ ପରିତ୍ୟକ୍ତ ଅବସ୍ଥାରେ ରହିଥିବାରୁ ଏହାର ରକ୍ଷଣବେକ୍ଷଣ କରାଯିବାପାଇଁ ଦାବୀ କରାଯାଇଛି l ଏହା ଗୃହ ବିଭାଗ ଅଧୀନରେ ରହିଥିବାବେଳେ ସଂସ୍କୃତି ବିଭାଗକୁ ହସ୍ତାନ୍ତର କରାଯାଇ ଜାତୀୟ ସ୍ମାରକୀ ଘୋଷଣା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଛି l ସ୍ୱାଧୀନତା ସଂଗ୍ରାମୀ ଶହୀଦ ସ୍ମୃତି ସଂସଦ ଓ ଆଦିବାସୀ ଶହୀଦ ସାଂସ୍କୃତିକ ସ୍ମୃତିକେନ୍ଦ୍ର ସଭାପତି ମୁନା ତ୍ରିପାଠୀଙ୍କ ସମେତ ପୂର୍ବତନ ବିଧାୟକ ସଦନ ନାୟକ, ଦିଲ୍ଲୀପ ବେହେରା ଓ ବହୁ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।