
ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୋଟ ୧୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଗୁଡିକ ହେଲା:
- ରାଜ୍ୟର ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ୪୩୭୩ଟି ପଂଚାୟତରେ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲିବ । ଏଥିପାଇଁ ୫କୋଟି ଟଙ୍କାର ବଜେଟ୍ ସହାୟତା ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପ୍ରଦାନ କରାଯିବ । ଏହି ବ୍ୟାଙ୍କଗୁଡ଼ିକୁ ପଂଚାୟତରେ ନିଜର ଶାଖା ଖୋଲିବା ପାଇଁ ୫ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ ଗୃହ, ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ହେବାକୁ ଥିବା ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।
- ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ରୁଲସ-୧୯୮୩ରେ ରହିଥିବା ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ଏଥିରେ ଆବଶ୍ୟକ ସଂଶୋଧନ ଓ ନୂଆ ବ୍ୟବସ୍ଥା ଆଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ପ୍ରସ୍ତାବିତ ନୂଆ ବ୍ୟବସ୍ଥାରେ ଏଣିକି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବାସଗୃହ ନିର୍ମାଣ ନିମନ୍ତେ ଲିଜ୍ ସୂତ୍ରରେ ଯୋଗାଇ ଦିଆଯାଇଥିବା ସରକାରୀ ଜମିକୁ ସ୍ଥିତିବାନ ସତ୍ତ୍ୱରେ ପରିବର୍ତ୍ତନ କରିବା ପାଇଁ ତଥା ସେମାନଙ୍କୁ ସିଧାସଳଖ ଭାବେ ସ୍ଥିତିବାନ ସ୍ୱତ୍ତ୍ୱରେ ସରକାରୀ ଜମି ଯୋଗାଇ ଦେବାକୁ ମଧ୍ୟ ଏହି ରୁଲସରେ ନୂଆ ବ୍ୟବସ୍ଥା ଆଣିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହା ସହିତ ଖାସମହାଲ, ନଜୁଲ, ଗ୍ରାମକଣ୍ଠ, ପରମବୋକ ଓ ଆବାଦୀ ଶ୍ରେଣୀର ଜମିକୁ ଆଇନସମ୍ମତ ଭାବେ ଦଖଲରେ ରଖିଥିବା ବ୍ୟକ୍ତିବିଶେଷଙ୍କ ନାଁରେ ଚିରସ୍ଥାୟୀ ବନ୍ଦୋବସ୍ତ କରିବା ପାଇଁ ଏହି ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହି ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ରୁଲସ-୨୦୨୩ ସରକାରୀ ଗେଜେଟରେ ପ୍ରକାଶିତ ହେବା ପରେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।
- ଓଡ଼ିଶା ସରକାରୀ ବେସରକାରୀ ସହଭାଗିତା ନୀତି(ପିପିପି) -୨୦୨୩କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ନୂଆ ନୀତିରେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଳିଅରାନ୍ସ ପ୍ରାଧିକରଣ ଅନୁମୋଦନର ବ୍ୟବସ୍ଥା ହେବ। ସେହିପରି ୧୦ରୁ ୫୦୦କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି ପାଇଁ ଉଦ୍ଦିଷ୍ଟ କ୍ଷମତାପ୍ରାପ୍ତ କମିଟି ଦ୍ୱାରା ଅନୁମୋଦନ ହେବ । ଏହି ନୂଆ ନୀତି ଅନୁସାରେ ପିପିପି ନିର୍ଦ୍ଦେଶାଳୟକୁ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ଅନୁମୋଦନର କ୍ଷମତା ପ୍ରଦାନ କରାଯାଇଛି ।
- ପୃଷ୍ଟଶସ୍ୟର ପ୍ରସାର ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ମିଲେଟ୍ ମିଶନର କାର୍ଯ୍ୟକ୍ରମକୁ ୨୦୨୩-୨୪ ଆର୍ଥିକ ବର୍ଷରେ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକକୁ ସମ୍ପ୍ରସାରିତ କରିଛନ୍ତି । ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ କ୍ୟାବିନେଟ୍ ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୋଟ ୨୬୮୭.୪୫କୋଟି ଟଙ୍କାର ବଜେଟକୁ ଅନୁମୋଦନ କରିଛନ୍ତି ।
- ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନାକୁ ମଞ୍ଜୁରି ମିଳିଛି। ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରାଯିବା ନେଇ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା। ଯୁବ ବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ର ଛାତ୍ରୀଙ୍କ ପାଇଁ ଆଡ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ଡିଜିଟାଲ- ଇ ପାଠ୍ୟକ୍ରମ ରଖାଯିବ।



