
ସଂଜୟ ଶତପଥୀ(କଟକ)୧୨.୦୮.୨୦୨୩:ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ “ସମନ୍ବୟ” ଆନୁକୁଲ୍ୟରେ ବିଡାନାସୀ ଚହଟାସ୍ଥ ଶ୍ରୀ ଚହଟେଶ୍ବର ମନ୍ଦିର ପରିସରରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି।
ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଆଡଭୋକେଟ ଆଲୋକ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ପଣ୍ଡିତ ହୃଦୟ ରଞ୍ଜନ ଦେବତା ଶିବ ସ୍ତୁତି ଗାନ କଲାପରେ ପଣ୍ଡିତ ଦିଲ୍ଲୀପ କୁମାର ସାବତ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଉପରେ ଏକ ସାରଗର୍ଭକ ପ୍ରବନ୍ଧ ପାଠ କରିଥିଲେ। ସମନ୍ବୟର ସଭାପତି ସାହିତ୍ୟିକ ଦୁଃଖି ଶ୍ୟାମ ଦାସ ଅଧ୍ୟକ୍ଷତା କରି କହିଲେ ଯେ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ଓଡିଆ ସାହିତ୍ୟ ଭଣ୍ଡାରକୁ ଅନନ୍ୟ ପ୍ରତିଭା ସୁରେନ୍ଦ୍ର ମହାନ୍ତି ଲେଖନୀ ଚାଳନା କରି ସମୃଦ୍ଧ କରିଥିଲେ। ଫକୀର ମୋହନ ସେନାପତିଙ୍କ ପରେ ସେ ଥିଲେ ଗଦ୍ୟ ସାହିତ୍ୟର ଉତ୍ତୁଙ୍ଗ ସ୍ମୃତି ସ୍ତମ୍ଭ।ସେ ଥିଲେ ଏକାଧାରରେ ଜଣେ ସଫଳ ସାହିତ୍ୟିକ, ଉଚ୍ଚକୋଟୀର ସାମ୍ବାଦିକ ଓ ସାର୍ଥକ ରାଜନେତା। ତାଙ୍କ ପ୍ରତିଭାର ଐନ୍ଦ୍ରଜାଲିକତା ଅତୁଳନୀୟ।
ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାହୁ କହିଲେ ଯେ ସୁରେନ୍ଦ୍ର ମହାନ୍ତି ଜଣେ ଅସାଧାରଣ ଗାଳ୍ପିକ ଥିଲେ। ସେ ଥିଲେ କ୍ଷୁଦ୍ରଗଳ୍ପର ଅପ୍ରତିଦ୍ଵନ୍ଦୀ ଲେଖକ। ତାଙ୍କ ଗଳ୍ପର ବିଷୟବସ୍ତୁ ଇତିହାସ, ପୁରାଣ, ବୌଦ୍ଧ ଯୁଗ, ପଲ୍ଲୀ ଓ ସହର ଉପରେ ପର୍ଯ୍ୟବେଶିତ।ସେ ମୋଟରେ ୧୫୦ ରୁ ଅଧିକ ଗଳ୍ପ ରଚନା କରିଛନ୍ତି। ଅଧ୍ୟାପକ ଅଶୋକ କୁମାର ବାରିକ କହିଲେ ଯେ ତାଙ୍କ ରଚିତ ଗୌରବମୟ ଉପନ୍ୟାସ ହେଉଛି ନୀଳଶୈଳ। ଏହି ଉପନ୍ୟାସ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ମଧ୍ୟ କୁଳବୃଦ୍ଧ ପୁସ୍ତକ ପାଇଁ ସାରଳା ପୁରସ୍କାର ପାଇଥିଲେ। ଓଡ଼ିଆ ସାହିତ୍ୟର ଇତିହାସ ପୁସ୍ତକ “ଆଦି ପର୍ବ ଓ ମଧ୍ୟ ପର୍ବ” ତାଙ୍କ ବୌଦ୍ଧିକ ରଚନାର ପରିଚୟ।
ବରିଷ୍ଠ ଆଡଭୋକେଟ ବଂଶୀଧର ଶତପଥୀ ଉତ୍ସବଟିକୁ ଉଦଘାଟନ କରି କହିଲେ ଯେ ସେ “କଳିଙ୍ଗ, ଗଣତନ୍ତ୍ର ଓ ସମ୍ବାଦ” ଆଦିରେ ସଫଳ ସାମ୍ବାଦିକ ଥିଲେ।୧୯୫୭ ଓ ୧୯୭୧ ରେ ସେ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ” ପଥ ଓ ପୃଥିବୀ” ଜୀବନୀ ପୁସ୍ତକ ତାଙ୍କ ସାମଗ୍ରିକ ଜୀବନର ପରିଚୟ ପ୍ରଦାନ କରେ।
ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ କବୀର କୁମାର ଜେନା, ଆଡଭୋକେଟ କିଶୋର ଚନ୍ଦ୍ର ସ୍ବାଇଁ, ଆଡଭୋକେଟ ଅଶୋକ କୁମାର ଦଳେଇ, ଆଡଭୋକେଟ ନରେନ୍ଦ୍ର କୁମାର ସାହୁ, ଇ ଅବିନାଶ ପରିଡ଼ା, ନିବାସ ଚନ୍ଦ୍ର ମିଶ୍ର, ସୌମ୍ୟ ସାରଥୀ ଦାସ, ସନ୍ତୋଷ କୁମାର ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁରେନ୍ଦ୍ର ମହାନ୍ତିଙ୍କର ଭୂୟସୀ ପ୍ରଶଂସା କରିଥିଲେ। ସସ୍ମିତା ଜେନାଙ୍କ ସଂଯୋଜନାରେ କବିତା ପାଠ କରିଥିଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଚେତନା ପ୍ରିୟଦର୍ଶିନୀ, ଆଶୁତୋଷ ଦାସ ପ୍ରମୁଖ କବିବୃନ୍ଧ। ସଂଗଠନ ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



