
ବାସ୍ତବ ବ୍ୟୁରୋ: ଆଜି ଗଣେଶ ପୂଜା। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ।
ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବିରାଜିଛନ୍ତି ପ୍ରଭୁ ଗଜାନନ । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜାମଣ୍ଡପ ଗୁଡିକ ଆକର୍ଷଣୀୟ ଢଙ୍ଗରେ ହୋଇଛି ସଜା । ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରଭୁ ଗଜାନନଙ୍କ ପୂଜା । ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା କରାଯାଉଥିବା ବେଳେ ବିଭିନ୍ନ ପୂଜାମଣ୍ଡପ ପ୍ରଭୁଙ୍କ ଆବାହନକୁ ଏବେ ଅପେକ୍ଷାରତ । ଆଉ କିଛି ସମୟ ପରେ ହୋମଯଜ୍ଞରେ ପ୍ରକମ୍ପତି ହେବ ପୂରା ପରିବେଶ ।
ସବୁଠି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଲୋକକଳା ପ୍ରଦର୍ଶନ ଶ୍ରଦ୍ଧାଳୁ ତଥା ପୂଜା ଦର୍ଶକଙ୍କୁ ଆକର୍ଷିତ କରିବ । ନାମୀଦାମୀ କଣ୍ଠଶିଳ୍ପୀମାନଙ୍କୁ ନେଇ ମେଲୋଡି ବେଶ୍ ଜମିବ । ବିଧି ଓ ପରମ୍ପରା ଅନୁସାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଗଜପତି ମହାରାଜାଙ୍କ ରାଜଗୁରୁ ସିଦ୍ଧି ବିନାୟକଙ୍କ ପୂଜା କରିବେ । ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।