
ବାସ୍ତବ ବ୍ୟୁରୋ: ଆଜି ପବିତ୍ର ଗାନ୍ଧି ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଗୁଜରାଟର ପୋରବନ୍ଦରରେ କରମଚାନ୍ଦ ଗାନ୍ଧି ଓ ପୁତଲିବାଇଙ୍କ କୋଳମଣ୍ଡନ କରିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧି।
ଆଜି ଗାନ୍ଧି ଜୟନ୍ତୀରେ ଶାନ୍ତିର ପୂଜାରୀ ବାପୁଜୀଙ୍କ ଆଦର୍ଶକୁ ମନେ ପକାଉଛି ସାରା ଦେଶ। ବିଭିନ୍ନ ସ୍ଥାନରେ ଏହିଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହେଉଛି।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ଜୟନ୍ତୀରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାସୁମନ ଅର୍ପଣ। ରାଷ୍ଟ୍ରପତି ଦୌପ୍ରଦି ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଗାନ୍ଧି ଜୟନ୍ତୀ ବିଶେଷ ଉତ୍ସବରେ ମୁଁ ମହାତ୍ମାଙ୍କୁ ପ୍ରଣାମ କରୁଛି। ତାଙ୍କର କାଳଜୟୀ ଶିକ୍ଷା ଆମ ପଥକୁ ଆଲୋକିତ କରିବାରେ ଲାଗିଛି। ମହାତ୍ମା ଗାନ୍ଧିଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ଏକତା ଏବଂ କରୁଣା ମନୋଭାବ ସହ ଆଗକୁ ବଢାଇବା ପାଇଁ ସମଗ୍ର ମାନବଜାତିଙ୍କୁ ଉତ୍ସାହିତ କରୁଛି।’ ଗାନ୍ଧିଜୀଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ଏକତା ଏବଂ କରୁଣାକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ୱବାସୀଙ୍କୁ ପ୍ରେରଣା ଯୋଗାଉଛି।
ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଚିରକାଳ ଏବଂ ସର୍ବଦା ବିଶ୍ୱ ପାଇଁ ପ୍ରାସଙ୍ଗିକ ରହିବ ବୋଲି କହିଛନ୍ତି। ଦେଶର କଲ୍ୟାଣ ପାଇଁ ତାଙ୍କର ମୂଲ୍ୟବୋଧ ଏବଂ ଶିକ୍ଷାକୁ ଅନୁସରଣ କରିବା ପାଇଁ ଲୋକଙ୍କୁ ସବୁବେଳେ ଅନୁରୋଧ କରୁଥିଲେ ବାପୁ। ଏକ ଆଦର୍ଶ ସମାଜ ପାଇଁ ସତ୍ୟ ଏବଂ ଅହିଂସା ଏକ ନୂଆ ପଥ ପରିଷ୍କାର କରିଥିଲା।
କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି, ‘ବାପୁଙ୍କୁ ଜୟନ୍ତୀରେ ଶତାଧିକ ଦଣ୍ଡବତ। ସତ୍ୟ, ଅହିଂସା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚିନ୍ତାଧାରାରେ ଭାରତକୁ ଏକ କରିବାର ପଥ ମହାତ୍ମା ଗାନ୍ଧି ଦର୍ଶାଇଥିଲେ ବୋଲି ରାହୁଲ ଗାନ୍ଧି କହିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜଘାଟକୁ ଯାଇ ଗାନ୍ଧିଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।