ବାସ୍ତବ ବ୍ୟୁରୋ: ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ଆଜି ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।
ଗତ ଅକ୍ଟୋବର ୨୩ତାରିଖରେ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ବିଧିବଦ୍ଧ ଭାବେ ଦଳରେ ସ୍ୱାଗତ କରିଛନ୍ତି । ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ହୋଇଛି । ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ଉଷା ଦେବୀ, ବାସନ୍ତୀ ହେମ୍ବ୍ରମ, ମାନସ ମଙ୍ଗରାଜ, ସମୀର ଦାଶ, କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ ତାଙ୍କୁ ଆଜି ଦଳର ଅନ୍ୟ କୌଣସି ପଦପଦବୀ ଦିଆଯାଇନାହିଁ । ଦଳରେ ସାମିଲ ହେବା ପରେ ଶ୍ରୀ ପାଣ୍ଡିଆନ କହିଛନ୍ତି, ମହାପ୍ରଭୁଙ୍କ ଆର୍ଶୀବାଦ,ମୁଖ୍ୟମନ୍ତ୍ରୀ ମାର୍ଗ ଦର୍ଶନ ଓ ଦଳର ସମସ୍ତଙ୍କ ସହଯୋଗରେ ଓଡ଼ିଶାବାସୀଙ୍କ ପାଇଁ ନିଷ୍ଠା ଓ ନିଶ୍ୱାର୍ଥପର ଭାବେ କାର୍ଯ୍ୟ କରିବି।
ଆଜି ସେ ନବୀନ ନିବାସରେ ସାମିଲ ହେବାପରେ ଦଳର ବରିଷ୍ଠ ନେତାମାନଙ୍କ ଗହଣରେ ସେ ଶଙ୍ଖ ଭବନରେ ଯାଇଥିଲେ । ସେଠାରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାପରେ ସେ ମା’ ତାରାତାରିଣୀଙ୍କ ଦର୍ଶନ ପାଇଁ ଯିବେ ବୋଲି ଜଣାପଡ଼ିଛି ।