ସଂଜୟ ଶତପଥୀ(କଟକ)୦୯/୦୧-କଟକ ଅର୍ବାନ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରରେ ଓଜନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କାର୍ଯ୍ୟକ୍ରମର ଆୟୋଜିକା ରାମଗଡ଼ ଅଙ୍ଗନୱାଡ଼ି କର୍ମୀ ଜ୍ୟୋତ୍ସ୍ନା ରାଣୀ ସିଂ କେନ୍ଦ୍ରଟିକୁ ସୁସଜ୍ଜିତ କରିବା ସହ ଅପପୁଷ୍ଟି ଦୂରୀକରଣ ପାଇଁ ଆଇ.ସି.ଡି.ଏସ୍. ମାଧ୍ୟମରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ଉପରେ ମଡେଲ, ମାସକଟ୍, ଚାର୍ଟ, ପୋଷ୍ଟର ପ୍ରଦର୍ଶନ କରି ହିତାଧିକାରୀ ମାନଙ୍କୁ ବାର୍ତ୍ତା ଦେଇଥିଲେ ।
୧୦ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ମୋନାଲିସା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ନିବେଦିତା ବିଭୂତିରାୟ ଯୋଗଦେଇ ଉପସ୍ଥିତ ହିତାଧିକାରୀ ମାନଙ୍କୁ ଓଜନ ଉତ୍ସବର ଉପାଦେୟତା ସମ୍ପର୍କରେ ଆଲୋଚନା କରିବା ସହ ଶିଶୁ ମାନଙ୍କର ନିୟମିତ ଭାବରେ ପ୍ରତି ମାସରେ ଅଙ୍ଗନୱାଡ଼ି କେନ୍ଦ୍ରରେ ଓଜନ ଓ ଉଚ୍ଚତା ମାପ କରାଇବା ପାଇଁ କହିଥିଲେ । ମଣ୍ଡଳ ପରିଦର୍ଶିକା ଶ୍ରୀମତୀ ସଞ୍ଜୁଲତା ସାହୁ ମା ଓ କିଶୋରୀ ବାଳିକା ମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପୁଷ୍ଟି ଯୋଜନା (MSPY) ସମ୍ପର୍କରେ ବୁଝାଇବା ସହ ଅପପୁଷ୍ଟି ଦୂରୀକରଣ ନିମନ୍ତେ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ଏବଂ ଆମେ ସମସ୍ତେ ଏଥିପାଇଁ ସହଯୋଗ କଲେ ମା ଓ ଶିଶୁଙ୍କୁ ସୁସ୍ଥ ରଖିପାରିବୁ ବୋଲି କହିଥିଲେ । ମାନସିଂହ ପାଟଣା ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଶକୁନ୍ତଳା ସିଂ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆମ ପରିବେଶରେ ମିଳୁଥିବା କମ୍ ମୂଲ୍ୟରେ ଆମେ କିପରି ପୁଷ୍ଟିକର ଖାଦ୍ୟ ପାଇପାରିବା ସେ ବିଷୟରେ କହିଥିଲେ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦେଇଥିଲେ ।
ଏହି ଉତ୍ସବରେ ମୋଟ୍ ୯୨ ଜଣ ଶିଶୁଙ୍କର ଓଜନ ଓ ଉଚ୍ଚତା ମାପ କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟର ସ୍ଥିତି ନିରୀକ୍ଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସୁବାସିନୀ ମାହାଳିକ, ଆଶାକର୍ମୀ ଜୟଶ୍ରୀ ସାହୁ, ସହାୟିକା ବାସନ୍ତୀ ବେହେରା, ସ୍ୱଚ୍ଛ ସାଥୀ ବିପାଶା ସାମଲ, ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ସୁଧାଞ୍ଜଳୀ ଦାସ୍, ସମ୍ପାଦିକା ସଞ୍ଜୁକ୍ତା ପଣ୍ଡା, ମାନସୀ କୁଣ୍ଡୁ, ଗାୟତ୍ରୀ ପଣ୍ଡା, ପୁଷ୍ପଲତା ନାଥ ତଥା ରାମଗଡ଼ ଓ ମାନସିଂହ ପାଟଣାର ଗ୍ରାମବାସୀ, କେନ୍ଦ୍ର ପରିସରଭୁକ୍ତ ଜନ୍ମରୁ ଛଅ ବର୍ଷ ବୟସର ସମସ୍ତ ଶିଶୁ ଓ ସେମାନଙ୍କ ପିତା ମାତା, ଅଭିଭାବକ ଓ କିଶୋରୀ ବାଳିକା ଉପସ୍ଥିତ ଥିଲେ ।
ଶେଷରେ ଜ୍ୟୋତ୍ସ୍ନା ରାଣୀ ସିଂ ଏକ ସୁସ୍ଥ ଏବଂ କୁପୋଷଣ ମୁକ୍ତ ଭବିଷ୍ୟତ ଗଠନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।